ରହସ୍ୟ ଭିତରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

ନୟାଗଡ଼: ନିରବୀ ଯାଇଛି ଗାଁ ଦାଣ୍ଡ । ସୁନା ବୋହୂ ଆଜି ଶୋଇ ପଡିଛି ଚିରନିଦ୍ରାରେ । ନିଜ ଛୁଆକୁ ଜନ୍ମ କରି, ନିଜ କୋଳକୁ ଶୂନ୍ୟ କରି ସେ ଚାଲିଯାଇଛି ସମସ୍ତଙ୍କୁ ପର କରି । କିଛି ବି କିଏ ବୁଝି ପାରୁନାହାନ୍ତି କଣ ହେଲା? କାହିଁକି ହେଲା? କେଉଁ ପରିସ୍ଥିତିରେ ଘଟିଲା ଏତେ ବଡ ଅଘଟଣ । ଯାହା ପାଟିରୁ ଶୁଣିବ ସଭିଏଁ କରୁଛନ୍ତି ବୋହୂଟି ଭାରି ଭଲ ଥିଲା, ହେଲେ କାହିଁକି ଏମିତି କାଣ୍ଡ କଲା କାହା ମୁଣ୍ଡରେ କିଛି ବୁଦ୍ଧି ପଶୁନି । ତେବେ ଆପଣ ବି ଘଟଣା କଣ ଜାଣିବାକୁ ବ୍ୟଥିତ ହେବେଣି ନିଶ୍ଚୟ ।
ଯାହା ଖବର ମିଳିଛି ନୟାଗଡ ଜିଲ୍ଲା, ଖଣ୍ଡପଡା ଗାଁର ବୁଲୁ ବରାଡଙ୍କ ପତ୍ନୀ କାଳିଆ ବରାଡ । କାଳିଆଙ୍କର ଗତ ରବିବାର ଦିନ ହଠାତ୍ ଅତ୍ୟଧିକ ରକ୍ତଶ୍ରାବ ହୋଇଥିଲା । ପରିବାର ଲୋକେ କେହି କିଛି ବୁଝିବା ପୂର୍ବରୁ ଗୁରୁତର ହୋଇପଡିଥିଲେ ସେ । ତୁରନ୍ତ ତାଙ୍କୁ ଛଦ୍ଧାର କରି ଦଶପଲ୍ଲା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଯାହା ଜଣାପଡିଥିଲା ଗର୍ଭ ଦ୍ୱାରରେ କ୍ଷତ ଯୋଗୁଁ ରକ୍ତଶ୍ରାବ ହେଉଛି । ତେବେ କିଛି ସମୟ ଭିତରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ତେବେ ଯାହା ଖବର ମିଳିଛି କି, କାଳିଆଙ୍କର ପୂର୍ବରୁ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଥିବାବେଳେ ସେ ପୁଣିଥରେ କୁଆଡେ ଗର୍ଭବତୀ ହୋଇଥିଲେ । କିନ୍ତୁ ଏ ସମ୍ପର୍କରେ ପରିବାର କିମ୍ବା ଗାଁ ଲୋକେ କାହାକୁ କିଛି ଜଣାଇନଥିଲେ । ତେବେ ରବିବାର ଭୋରରୁ ଗର୍ଭ ଯନ୍ତ୍ରଣା ହେବା ପରେ ସେ ନିଜେ ଯାଇ ବାଡିପଟେ ସନ୍ତାନ ଜନ୍ମ କରିବା ସହ ନାଭି ନାଡିକୁ ନିଜେ କାଟି ଦେଇଥିଲେ । ତାଙ୍କୁ ଲାଗିଥିଲା ଛୁଆଟି ମରିଯାଇଛି । ତେଣୁ ବାଡି ନିକଟରେ ଥିବା ଏକ ପାଳଗଦାରେ ପକାଇଦେଇ ପଳାଇ ଆସିଥିଲେ ବୋଲି ପରିବାର ଲୋକ ଅନୁମାନ କରିଛନ୍ତି ।
ତେବେ ଘରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପରିବାର ଲୋକେ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଗର୍ଭବତୀ ଥିବା କଥା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ କାଳିଆଙ୍କ ମୃତ୍ୟୁ ଗୋଟେ ପଟେ ଘରେ କାନ୍ଦ ବୋବାଳି ପଡିଥିବା ବେଳେ ହଠାତ୍ ବାଡିପଟେ ଥିବା ପାଳଗଦାରୁ କୁନି ଛୁଆର କାନ୍ଦ ଶବ୍ଦ ଶୁଣିବାକୁ ମିଳିଥିଲା । ପରିବାର ଲୋକେ ଖେଜାଖୋଜି କରିବା ପରେ ଏକ ନବଜାତ ଶିଶୁ କନ୍ୟାକୁ ଦେଖିବାକୁ ପାଇଥିଲେ । ଯାହା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା । ଏବେ ଶିଶୁକନ୍ୟାଟି ଦଶପଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ତାର ଅବସ୍ଥା ଭଲ ଥିବା ସିଡିଏମ୍ଓ କହିଛନ୍ତି ।
ପିଲାଟି ପ୍ରକୃତରେ ବୁଲୁ ଏବଂ ପତ୍ନୀ କାଳିଆଙ୍କର । କିନ୍ତୁ କାଳିଆଙ୍କର ୨୦୧୯ମସିହାରେ ଫାମିଲି ପ୍ଲାନିଙ୍ଗ୍ ଅପରେସନ୍ ହୋଇଥିଲେ ମଧ୍ୟ ପୁଣିଥରେ ଗର୍ଭବତୀ ହୋଇଥିବାରୁ ଲୋକଲଜ୍ଜାରେ ଏଭଳି କରିଥିବା ପରିବାର ଲୋକ କହୁଛନ୍ତି । ତେବେ ଫାମିଲିପ୍ଲାନିଙ୍ଗ୍ ଅପରେସନ୍ ବିଫଳ ହୋଇଥିବାରୁ ସେ ସମୟରେ ସେ ସରକାରଙ୍କ ଠାରୁ ୧ଲକ୍ଷ ଟଙ୍କା କ୍ଷତିପୂରଣ ମଧ୍ୟ ପାଇଥିବା ଡାକ୍ତରଖାନା ସୁତ୍ରରୁ ଜଣାପଡିଛି । ଏପଟେ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ପୋଷ୍ଟମର୍ଟମ ପରେ ମୃତଦେହକୁ ଆଣି ସତ୍କାର କରାଯାଇଛି । ଏପଟେ ଡିଏନ୍ଏ ଟେଷ୍ଟ ପରେ ଶିଶୁକନ୍ୟାଟି ପ୍ରକୃତରେ କାଳିଆ ବରାଡଙ୍କର କି ନାହିଁ ତାହା ସ୍ପଷ୍ଟ ଭାବେ ଜଣାପଡିବା ସହ ଘଟଣା ପଛରେ କିଛି ରହସ୍ୟ ଅଛି କି ନାହିଁ ଜଣାପଡିବ ବୋଲି ସିଡିଏମ୍ଓ କହିଛନ୍ତି ।
ତେବେ କାହିଁକି କାଳିଆ ଗର୍ଭବତୀ କଥାକୁ ପରିବାର ଲୋକଙ୍କୁ ଲୁଚାଇଥିଲେ? କେହି କେମିତି ଜାଣିପାରିଲେନି କାଳିଆ ଗର୍ଭବତୀ ଅଛନ୍ତି ବୋଲି? ଡାକ୍ତରଖାନାକୁ ନନେଇ ଘରେ ରହି ସାହି ପଡିଶାର ମହିଳାମାନେ ମିଶି କାଳିଆଙ୍କର ପ୍ରସବ କଲା ବେଳେ ଏଭଳି ଅଘଟଣ ଘଟିନି ତ? ନା କାଳିଆ ନିଜେ ନିଜେ ଏଭଳି କାଣ୍ଡ କରିଛନ୍ତି ? ଏ ସବୁ ଘଟଣା ପଛରେ ସ୍ୱାମୀଙ୍କର କଣ ରହିଛି ଭୂମିକା? ଏ ସବୁ ପ୍ରଶ୍ନର ଉତ୍ତର ଉଚିତ୍ ତଦନ୍ତ ପରେ ହିଁ ସାମ୍ନାକୁ ଆସିବ ।
ଆହୁରି ପଢନ୍ତୁ: ସ୍ୱାମୀଙ୍କୁ ଖୋଜୁଛନ୍ତି ଗର୍ଭବତୀ ପତ୍ନୀ, BSF ଯବାନଙ୍କୁ କେବେ ଛାଡ଼ିବ ପାକିସ୍ତାନ?