ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି, ୩ ଜଣଙ୍କ ନାଁରେ ମାମଲା ରୁଜୁ

ପୁରୀ (କେନ୍ୟୁଜ): ପୁରୀ ଭଉଁରୀ ଯାତ୍ରା ବେଳେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି । ଘଟଣାରେ ୩ ଜଣଙ୍କ ନାଁରେ କୁମ୍ଭାରପଡ଼ା ଥାନାରେ ମାମଲା ରୁଜୁ । ଆଇପିସି ଦଫା ୩୦୪ ଓ ଏକ୍ସପ୍ଲୋସିଭ୍ ଆକ୍ଟରେ ମାମଲା ରୁଜୁ । ମାମଲା ରୁଜୁ ହୋଇଥିବା ବ୍ୟକ୍ତି ମଧ୍ୟ ବାଣ ବିସ୍ପୋରଣରେ ଗୁରୁତର ହୋଇଥିବାରୁ ଚିକିତ୍ସା ପରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ସିଟି ଡିଏସପି ପ୍ରଶାନ୍ତ ସାହୁ ।
ବିସ୍ଫୋରଣ ଘଟଣାରେ ୩୬ ଜଣ ଆହତଙ୍କୁ ଏବେ କଟକ, ପୁରୀ ଓ ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଛି । ଘରୋଇ ହସ୍ପିଟାଲରେ ଚିକିତ୍ସିତ ଆହତଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଯୋଦାଇ ଦିଆଯିବ । ଏବେ ପରିସ୍ଥିତି ଉପରେ ନଜର ରଖାଯାଇଛି । ଗତକାଲି ରାତିରେ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଚନ୍ଦନ ଯାତ୍ରାର ଶେଷଦିନରେ ବାଣ ବିସ୍ଫୋରଣ ଘଟିଥିଲା । ବାଣ ଫୁଟା ଯିବା ବେଳେ ଗୋଟିଏ ବାଣରେ ନିଆଁ ଲାଗି ସେଠାରେ ମହଜୁଦ ଥିବା ବାଣ ବସ୍ତାରେ ପଡ଼ିବାରୁ ଅଚାନକ ବିସ୍ପୋରଣ ହୋଇଥିବା କୁହାଯାଉଛି ।
ବିଳମ୍ବିତ ରାତିରେ ମୁଖ୍ୟ ସଚିବ ପ୍ରଦୀପ ଜେନା ଓ କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଏସସିବି ମେଡିକାଲକୁ ଯାଇ ଆହତଙ୍କ ଚିକିତ୍ସା ବାବଦରେ ପଚାରି ବୁଝିଛନ୍ତି । ଏହି ଭୟଙ୍କର ବାଣ ବିସ୍ପୋରଣ ଘଟଣାରେ ପୁରୀ ଏସପିଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଛି । ଆତସବାଜୀ ପ୍ରଦର୍ଶନ ନେଇ ଜିଲ୍ଲା ପ୍ରଶାସନ କିମ୍ବା ପୋଲିସ କୌଣସି ଅନୁମତି ଦେଇ ନଥିବା ଜିଲ୍ଲାପାଳ ଓ ଏସପି କହିଛନ୍ତି ।