ଦେବ ଦୀପାବଳିରେ ମଣିଷ ଭଳି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଅନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ

ଆମେ ସିନା କଥାରେ କହୁ ଓଡ଼ିଆଙ୍କର ବାର ମାସରେ ତେର ପର୍ବ ହେଲେ ଆମର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କର ନିଇତି କିଛି ନା କିଛି ପର୍ବ ଲାଗି ରହିଥାଏ ବର୍ଷ ସାରା । ସେଥି ମଧ୍ୟରୁ ଦେବ ଦୀପାବଳି ହେଉଛି ପ୍ରଭୁଙ୍କର ଏକ ବଡ଼ ପର୍ବ । ହିନ୍ଦୁ ଧର୍ମରେ ସାଧାରଣ ଜନତା ଯେପରି ପିତୃ ପୁରୁଷଙ୍କ ପାଇଁ ଦୀପାବଳି ଦିନ ପୟାଶ୍ରାଦ୍ଧ ଏବଂ କାର୍ତ୍ତିକ ଅମାବାସ୍ୟାରେ ଦୀପ ଲଗାଇ ଶ୍ରାଦ୍ଧ କରିଥାନ୍ତି ଆଉ ପର୍ବକୁ ଉପଭୋଗ କରିଥାନ୍ତି ଠିକ ସେହିଭଳି ପ୍ରଭୁ ଜଗନ୍ନାଥ ମଧ୍ୟ ପ୍ରତ୍ୟେକ ଯୁଗରେ ଧରାପୃଷ୍ଠରେ ଜନ୍ମ ଗ୍ରହଣ କରି ତାଙ୍କରି ପିତୃ ପୁରୁଷଙ୍କ ପାଇଁ ଦୀପ ଦାନ ଶ୍ରାଦ୍ଧ କରିଥାନ୍ତି ।

ମାର୍ଗଶୀର ଚତୁର୍ଦ୍ଦଶୀରେ ଆରମ୍ଭ ହୋଇଛି ଦେବ ଦୀପାବଳି। ୩ଦିନ ପାଇଁ ମହାପ୍ରଭୁଙ୍କୁ ଶ୍ରାଦ୍ଧବେଶ କରାଯାଇଛି । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ମହାପ୍ରଭୁଙ୍କ ଶ୍ରାଦ୍ଧ ଏବଂ ଦୀପଦାନ ବିଧି ରହିଛି । ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ୩ ଦିନ ଧରି ଏହି ନୀତି ଯଥାବିଧି ପାଳନ ପରମ୍ପରା ରହିଛି।

ଏହି ତିନି ଦିନରେ ମହାପ୍ରଭୁ ନିଜ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଇଥାନ୍ତି । ଏହି ବେଶରେ ଭକ୍ତଙ୍କୁ ଦର୍ଶନ ମଧ୍ୟ ଦିଅନ୍ତି । ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ଏହି ସ୍ମୃତି ଉଦ୍ଦେଶ୍ୟରେ ଶ୍ରୀଜୀଉମାନେ ବିଭିନ୍ନ ଅବତାରରେ ଥିବା ମାତୃ ପିତୃ ଅର୍ଥାତ ପୂର୍ବ ପୁରୁଷମାନଙ୍କୁ ଶ୍ୱେତ ବସ୍ତ୍ର ପରିଧାନ କରି ପିଣ୍ଡ ଦାନ କରିଥାନ୍ତି । ତୃତୀୟ ତଥା ଶେଷ ଦିନରେ ମହାପ୍ରଭୁ ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କୁ ଶ୍ରାଦ୍ଧ ଦେଇଥାନ୍ତି । ଏହି ଦିନ ମଦନମୋହନ, ଶ୍ରୀଦେବୀ, ଭୂଦେବୀ ଆଜ୍ଞା ମାଳ ପାଇବା ପରେ ମହାଜନ ସେବକମାନେ ଠାକୁର, ଠାକୁରାଣୀଙ୍କୁ ହାତରେ ବିଜେ କରାଇ ଜୟ ବିଜୟ ଦ୍ୱାର ଭିତର ପାଖରେ ହୋଇଥିବା ଚାଉଳ ଗଛ ନିକଟରେ ଛିଡା ହୋଇଥାନ୍ତି । ମୁଦିରସ୍ତ ପ୍ରସାଦ ଲାଗି କଲାପରେ ପୂଜାପଣ୍ଡା ଚାଉଳ ଗଛକୁ ସଂସ୍କାର କରିଥାନ୍ତି। ମୁଦିରସ୍ତ ବନ୍ଦାପନା କଲାପରେ ପ୍ରତିମାମାନେ ଶ୍ରୀମନ୍ଦିର ବାହୁଡା଼ ବିଜେ କରିଥାନ୍ତି।

puri

ଆସନ୍ତୁ ଜାଣିବା ଏ ଚାଉଳ ଗଛ କଣ । ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ତିଥି ଅବସରରେ ସଂଧ୍ୟାଧୂପ ଶେଷ ହେବା ପରେ ଶୁଦ୍ଧ ସୁଆରଙ୍କ ଦ୍ୱାରା ସିଂହାସନ ତଳେ ଧୁଅ ପୋଛା କରାଯାଇଥାଏ। ପରେ ଭଣ୍ଡାର ମେକାପ ଚାଉଳରେ ଗୋଟିଏ ଗଛ ତିଆରି କରିବା ସହ ପାଳିଆ ମେକାପ ବଇଠାରେ ଘିଅ ଦେଇ ଗଛମାନଙ୍କରେ ବତୀ ଲାଗାଇଥାନ୍ତି। ପରମ୍ପରା ଅନୁଯାୟୀ ୩ଟି ସୁନା ଆଳତି ଲଗାଯାଏ । ଏହାପରେ ପୂଜାପଣ୍ଡା, ପତି ମହାପାତ୍ର, ମୁଦିରସ୍ତଙ୍କ ଦ୍ଵାରା ବନ୍ଦାପନା ନୀତି ବଢିଥିଲା । ବନ୍ଦାପନା ସରିବା ପରେ ୩ଜଣ ପାଳିଆ ପୂଜାପଣ୍ଡା ମହାଦୀପ ଆଳତି କରିଥାନ୍ତି ଓ ଜୟ ବିଜୟ ଦ୍ୱାର ନିକଟରେ ପାଳିଆ ପ୍ରତିହାରୀ କରିଥିବା ଚାଉଳ ଗଛକୁ ଜଣେ ପୂଜା ପଣ୍ଡା ୩ଟି ଗଛରେ ୩ଟି ମହାଦୀପ ରଖି ସଂସ୍କାର କରିଥାନ୍ତି । ପରେ ୩ଜଣ ପୂଜାପଣ୍ଡା ସେହି ମହାଦୀପକୁ ଆଣି ପାଳିଆ ଚୂନରା ହାତରେ ଦେଇଥାନ୍ତି । ପାଳିଆ ଚୂନରା ତେଲ ଓ ଘିଅ ନେଇ ମନ୍ଦିର ଉପରେ ୩ଟି ଦୀପ ଲଗାଇ ଥାନ୍ତି ।

ସାରା ଭରତ ବର୍ଷରେ ସବୁ ଜଗନ୍ନାଥ ମନ୍ଦିରରେ ଏହି ଦେବ ଦୀପାବଳି ପର୍ବ ପାଳିତ ହୋଇଥାଏ । ଏନେଇ ଗଞ୍ଜାମ ଜିଲ୍ଲା ସୋରଡା ଠାରେ ଥିବା ପୁରାତନ ଜଗନ୍ନାଥ ମନ୍ଦିରରେ ମଧ୍ୟ ଦୀର୍ଘ ତିନିଦିନ ଧରି ବଡ ଧୂମ ଧାମରେ ଦେବ ଦୀପାବଳି ପର୍ବ ପାଳିତ ହୋଇଛି । ମନ୍ଦିର ପରିସରକୁ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଥିଲା। ପ୍ରଥମ ଦିନ ମାର୍ଗଶିର ମାସ ଚତୁର୍ଦ୍ଦଶୀରେ ପ୍ରଭୁ ଜଗନ୍ନାଥ ଧଳା ବସ୍ତ୍ର ପରିଧାନ କରିଥିଲେ । ସକାଳୁ ସମସ୍ତ ନୀତିକନ୍ତି ସମାପନ ହୋଥିଲା ଏବଂ ସନ୍ଧ୍ୟା ପରେ ଦୀପ ଦାନ ପର୍ବ ଆରମ୍ଭ ହୋଇଥିଲା ।

ଶହ ଶହ ଭକ୍ତ ଘଣ୍ଟ , ଘଣ୍ଟା, ତାଳ, ମୃଦଙ୍ଗ ବଜାଇ ହଜାର ହଜାର ଦୀପ ମନ୍ଦିର ପରିସରରେ ଜଳାଇ ଥିଲେ । ଦିତୀୟ ଦିନ ଅମାବାସ୍ୟା ତିଥିରେ ପିତୃ ପୁରୁଷ ନନ୍ଦ ଯଶୋଦାଙ୍କ ପାଇଁ ଦୀପ ଲଗାଯାଇ ଥିଲା । ତୃତୀୟ ଦିନ ପ୍ରତିପଦା ତିଥିରେ ଦଶରଥ ଓ କୌଶଲ୍ୟାଙ୍କ ପାଇଁ ଦୀପ ଲଗାଯାଇଥିଲା । ଏମିତିକି ସୁଦୂର ଜୟପୁରରୁ ଦୃଷ୍ଟି ଦିବ୍ୟାଙ୍ଗମାନେ ଆସି ଠାକୁରଙ୍କ ଭଜନ ପରିବେଷଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.