ଦେବ ଦୀପାବଳୀର ଦ୍ୱିତୀୟ ଦିନ, ପୂର୍ବ ପୁରୁଷଙ୍କୁ ଶ୍ରାଦ୍ଧ ଦେଲେ ମହାପ୍ରଭୁ

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିରରେ ଚାଲିଥିବା ଦେବ ଦୀପାବଳୀର ଆଜି ମଧ୍ୟ ଦିବସ। ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ୟୁଷ୍ୟମାନଙ୍କ ଭଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିନି ଦିନ ଦୀପଦାନ କରନ୍ତି । ଗତକାଲି ଅଦିତି କଶ୍ୟପଙ୍କ ଉଦ୍ଦେଶ୍ୟରେ , ଆଜି ଆମାବାସ୍ୟାରେ ଦଶରଥ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଓ ଶେଷ ପ୍ରତିପଦା ଦିନ ବସୁଦେବ ଦେବକୀ, ନନ୍ଦ ଯଶୋଦା, ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ଉତ୍ସର୍ଗ କରନ୍ତି।

ଏହିଦିନ ମାନଙ୍କରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧବେଶରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରୁଥିବାରୁ ଏହାକୁ ଦେବ ଦୀପାବଳି କୁହାଯାଏ । ପୁଷ୍ପାଳକ ସେବକମାନେ ଠାକୁରମାନଙ୍କୁ ଶ୍ରାଦ୍ଧବେଶରେ ନାଗପୁରୀ ଶାଢ଼ି ଚାଦରରେ ଭୂଷିତ କରାଇଥାନ୍ତି । ଏହି ସମୟରେ ଶ୍ରୀବିଗ୍ରହମାନଙ୍କୁ ସାଧାବେଶରେ ସଜ୍ଜିତ କରାଯାଏ । ଶ୍ରାଦ୍ଧବେଶରେ ଠାକୁରମାନଙ୍କୁ ଲାଗି କରାଯାଉ ଥିବା ସ୍ୱର୍ଣ୍ଣ ଅଳଙ୍କାର ମଧ୍ୟରେ ତଡ଼ଗୀ, ନଳିଭୁଜ, ଚନ୍ଦ୍ର, ସୂର୍ୟ୍ୟ, କୁଣ୍ଡଳ, ଆଡ଼କାନି, ହରିଡା ମାଳି, ଅଣ୍ଟାକମର ପଟି ପ୍ରଭୂତି ରହିଛି।

ଦେବ ଦୀପାବଳୀ ଅବସରରେ ଆଜି ଓଡିଶା ଇଣ୍ଟରନ୍ୟାସନଲ ସେଣ୍ଟର ଓ ପୁରୀର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ସିଂହଦ୍ଵାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଏକ ଲକ୍ଷ ଦୀପ ଜଳିବାର ଅୟୋଜନ କରାଯାଇଛି । ଦେବ ଦୀପାବଳି ଦିନ ସହରବାସୀ ନିଜ ଘର ଏବଂ ବଡ଼ଦାଣ୍ଡରେ ସ୍ବେଚ୍ଛାକୃତ ଭାବେ ଦୀପଦାନ କରିବା ଲାଗି ଓଡିଶା ଇଣ୍ଟରନ୍ୟାସନଲ ସେଣ୍ଟର ପକ୍ଷରୁ ନିବେଦନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.