ଏମିତି ଦୁଃଖ ଭଗବାନ୍ କାହାକୁ ବି ନଦିଅନ୍ତୁ: ମୃତ୍ୟୁ ଅପେକ୍ଷାରେ ଦେବକୀ, ଚିନ୍ତା କେମିତି ମଣିଷ ହେବେ ୩ଟି ପିଲା

ଫୁଲବାଣୀ: ଏମିତି ଦୁଃଖ ଭଗବାନ୍ କାହାକୁ ବି ନ ଦିଅନ୍ତୁ । ଜୀବନ ଥାଇକି ବି ନଥିଲା ଭଳି । କେବଳ ଅପେକ୍ଷା ମୃତ୍ୟୁକୁ। ଦିନେ କି ଦୁଇ ଦିନ ନୁହେଁ, ଗତ ୨ବର୍ଷ ହେଲା ଶଯ୍ୟାସାୟୀ ହୋଇ ମୃତ୍ୟୁକୁ ଅପେକ୍ଷା କରି ରହିଛନ୍ତି ୩୦ ବର୍ଷୀୟ ଦେବକୀ କୁଦେଇ । ୨୦୧୮ ଜାନୁୟାରୀ ୦୧ ତାରିଖ ଦିନ ଘରେ ନିଆଁ ପୁଉଁଥିବା ବେଳେ ପିନ୍ଧିଥିବା ଲୁଗାରେ ନିଆଁ ଲାଗି ଦେହ ୭୦ ଭାଗ ପୋଡିଯାଇଥିଲା । ସେହିଦିନ ଠାରୁ ଦେବକୀ ସରକାରଙ୍କୁ ଭଲ ହେବା ପାଇଁ ଆର୍ଥିକ ସାହାଯ୍ୟ ଓ ଭଗବାନଙ୍କୁ ଏ କଷ୍ଟରୁ ରକ୍ଷା ଦେବା ପାଇଁ ମୃତ୍ୟୁ ମାଗୁଛନ୍ତି । ହେଲେ କେହି ଶୁଣୁ ନାହାଁନ୍ତି ଦେବକୀ ଗୁହାରି। ଏହେଉଛି କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ୍ ପିରିକୁଡି ପଞ୍ଚାୟତର ସାକାଡି ଗ୍ରାମର ଦେବକୀ କୁଦେଇଙ୍କ କଥା ।

childମୃତ୍ୟୁକୁ ଅପେକ୍ଷା କରି ପଡିରହିଛନ୍ତି ଦେବକୀ କୁଦେଇ । ଥଣ୍ଡାରୁ ରକ୍ଷା ପାଇବା ପାଇଁ ଘରେ ଚୁଲିରେ ନିଆଁ ଲଗେଇ ପାଖରେ ବସିଥିବା ବେଳେ ପିନ୍ଧା ଲୁଗାରେ ନିଆଁଲାଗି ୭୦ ଭାଗ ପୋଡି ଯାଇଥିଲେ । ଦେବକୀକୁ ପ୍ରଥମେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା ଓ ପରେ ଅଧିକ ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଦେବକୀଙ୍କ ଜୀବନ ବଞ୍ଚି ଯାଇଥିଲା ସିନା, ହେଲେ ସେହି ଜୀବନ ତାଙ୍କ ପାଇଁ ପାଲଟିଗଲା ଅଭିଶପ୍ତ । ଦେବକୀଙ୍କର କେବଳ ମୁହଁଟିକୁ ଛାଡିଦେଲେ ଦେହ ହାତରେ ଗୋଟ ମାଂସ ନାହିଁ । ସବୁ ପୋଡି ନଷ୍ଟ ହୋଇଯାଇଛି । ଉଠିବାକୁ କି କଡ ଲଉଟେଇବାକୁ ଶକ୍ତି ନାହିଁ । ୭୦ ଭାଗ ପୋଡି ଯାଇଥିବାରୁ ବ୍ରହ୍ମପୁର ବଡ ମେଡିକାଲର ଡକ୍ଟର ମଧ୍ୟ ତାହା ଭଲ ହୋଇପାରିବ ନାହିଁ ବୋଲି କହିବା ସହିତ ଡକ୍ଟର ତାଙ୍କୁ କଟକ ବଡ ମେଡିକାଲ୍‌କୁ ପଠେଇ ଦେଇଥିଲେ । ହେଲେ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଥିବାରୁ ଚିକିତ୍ସା ପାଇଁ କଟକ ନ ଯାଇ ପାରି ମୃତ୍ୟୁକୁ ଅପେକ୍ଷା କରି ପଡି ରହିଛନ୍ତି ଘରେ ।

debakiଘରେ ଖାଇବାକୁ ନାହିଁ । ଓଳିଏ ଖାଇଲେ ଓଳିଏ ଉପାଷ । ୬ପ୍ରାଣୀ କୁଟୁମ୍ବ। ଶାଶୁ ପକ୍ଷାଘାତ ରୋଗରେ ଶଯ୍ୟାସାୟୀ । ଘରେ ୩ଟି ପିଲା । ବଡ ପୁଅ ମାନସକୁ ୧୦ ବର୍ଷ, ମଝିଆ ପୁଅ ସରୋଜକୁ ୭ବର୍ଷ ଓ ଛୋଟ କୁନି ଝିଅଟି ସରିତା ତାକୁ ୩ ବର୍ଷ । ୨ପୁଅ ସାନ ଭଉଣୀର ଦେଖାଶୁଣା କରିବା ପାଇଁ, ସେମାନଙ୍କ ପାଠରେ ଡୋରି ବାନ୍ଧିଲେ ବାପା ସଞ୍ଜୟ । ସଞ୍ଜୟର ଗୋଟିଏ ହାତ ଅକ୍ଷମ ହେଲେ ମଧ୍ୟ ପରିବାର ପ୍ରତିପୋଷଣ ପାଇଁ ଦିନ ମଜୁରୀ କାମ କରନ୍ତି । ଯାହା ଆସେ ୬ ପ୍ରାଣୀ କୁଟୁମ୍ବକୁ ଖାଇବାକୁ ନିଅଣ୍ଟ ହୋଇଯାଏ । ସବୁ ଜାଣିଲେ ମଧ୍ଯ ଦେବକୀ ସେମିତି ପଡି ପଡି ମୃତ୍ୟୁକୁ ଅପେକ୍ଷା କରିଛନ୍ତି । ତାଙ୍କର ଆଉ ବଞ୍ଚିବାକୁ ଆଶା ନାହିଁ । ହେଲେ ଚିନ୍ତା ପିଲା ୩ଟି କେମିତି ମଣିଷ ହେବେ । ଘରେ ଦୁଇ ଦୁଇ ଜଣ ରୋଗୀଣା । ପାଠ ପଢି ଖେଳବୁଲା ସମୟରେ ଘରର ବୋଝ ଉଠାଉଛନ୍ତି । ଭଲରେ ଦୁଇ ମୁଠା ଖାଇବାକୁ ଦେଇ ପାରୁ ନାହାନ୍ତି । ତେଣୁ ଯେତେ କଷ୍ଟ ହେଲେ ମଧ୍ୟ ପିଲାଙ୍କୁ ବଞ୍ଚେଇବାକୁ ଇଚ୍ଛା ଦେବକୀଙ୍କର ।

ଶ୍ରେଣୀରେ ପ୍ରଥମ ହେଉଥିବା ବଡପୁଅ ୫ମ ରେ ପଢୁ ଥିଲା କିନ୍ତୁ ମା ର ଦେହ ଖରାପ ପରଠାରୁ ଆଉ ସ୍କୁଲ ଯାଇପାରୁନି । ପଢିବାକୁ ବହୁତ ଇଚ୍ଛା ହେଲେ ମା ଓ ଭାଇ ଭଉଣୀଙ୍କ କଥା ବୁଝିବାକୁ ପଡୁଛି । ତେଣୁ, ଯଦି ସରକାରଙ୍କ ପକ୍ଷରୁ କିମ୍ବା କେହି ସହୃଦୟବ୍ୟକ୍ତି ଯଦି କୌଣସି ଅନୁକମ୍ପା ମିଳନ୍ତା ତେବେ ଦେବକୀ ଭଲ ହେବା ସହ ୩ଜଣ ପିଲାଙ୍କ ଭବିଷ୍ଯତ ସଜାଡି ହୋଇଯାଆନ୍ତା ।

ଫୁଲବାଣୀରୁ ସାଗର ପାଢୀଙ୍କ ରିପୋର୍ଟ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.