ଏଥର ପାରାଦୀପରୁ ବିଜେଡି ପ୍ରାର୍ଥୀ କିଏ ? ଦାମୋଦରଙ୍କ ପୁଅ ସମ୍ବିତ ଓ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ନାଁକୁ ନେଇ ଚର୍ଚ୍ଚା

ପାରାଦୀପ : ଏଥର ପାରାଦୀପରୁ କିଏ ବିଜେଡି ଟିକେଟରେ ଲଢ଼ିବେ? ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ ନା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ? ଦଳରୁ ଦାମୋଦର ରାଉତ ବିଦା ପରେ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି । ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ପାରାଦୀପରେ ବିଜେଡି ପଦଯାତ୍ରା ଉଦଯାପନୀ ଉତ୍ସବରେ ଦାମ ବାବୁଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ଏହାପରେ ଦେବାଶିଷ ସାମନ୍ତରାୟଙ୍କୁ ଚର୍ଚ୍ଚା ହେଲା । କୁହାଗଲା ତାଙ୍କୁ ଏଥର ପାରାଦୀପରୁ ଦଳୀୟ ଟିକେଟ୍ ମିଳିବ । ବିଶେଷସୂତ୍ରରୁ କଳିଙ୍ଗ ଟିଭିକୁ ମିଳିଥିବା ସୂଚନା ଅନୁସାରେ ବିଜେଡି ଏଥର ପାରାଦୀପରୁ ସମ୍ବିତ ରାଉତରାୟଙ୍କୁ ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ସମ୍ବିତ ମଧ୍ୟ କହିଛନ୍ତି, ଏନେଇ ତାଙ୍କର ଆଶା ରହିଛି । କିନ୍ତୁ ସବୁ କିଛି ନିର୍ଭର କରୁଛି ବିଜେଡି ସୁପ୍ରିମୋଙ୍କ ଉପରେ।
ସେପଟେ ବିଜେଡିରୁ ବିଦା ହେବା ପରେ ରାଜ୍ୟ ସରକାର ଓ ଦଳ ବିରୋଧରେ ବୁଲି ବୁଲି ବର୍ଷିବାରେ ଲାଗିଛନ୍ତି ଦାମୋଦର ରାଉତ । ଏଥର ସେ ନିର୍ବାଚନ ଲଢିବେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ କରିନାହାନ୍ତି। ଅପରପକ୍ଷରେ ଦାମ ବାବୁ କହିଛନ୍ତି, ପୁଅକୁ ବିଜେଡି ଟିକେଟ୍ ଦେଲେ ତାଙ୍କର କିଛି ଆପତ୍ତି ନାହିଁ।
୨୦୦୯ରେ ପାରାଦୀପ ନିର୍ବାଚନମଣ୍ଡଳୀ ଗଠନ ପରଠାରୁ ସେଠାରୁ ବିଧାୟକ ଭାବେ ଲଗାତାର ନିର୍ବାଚିତ ହେଇ ଆସୁଛନ୍ତି ଦାମୋଦର ରାଉତ । ଏହା ପୂର୍ବରୁ ସେ ଏରସମା ନିର୍ବାଚନୀମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିଲେ । ଏବେ ସମ୍ବିତଙ୍କୁ ଦଳୀୟ ପ୍ରାର୍ଥୀ କରି ବିଜେଡି ଗୋଟିଏ ଗୁଳିରେ ଦୁଇଟି ଶିକାର କରିବା ଚକ୍କରରେ ରହିଛି ବୋଲି କୁହାଯାଉଛି।