ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ବିଲ୍ ପ୍ରସଙ୍ଗ , ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.ପାଲାନୀସ୍ୱାମୀଙ୍କୁ ଭେଟିଲେ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର

ଭୁବନେଶ୍ବର(କେନ୍ୟୁଜ୍) : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.ପାଲାନୀସ୍ୱାମୀଙ୍କୁ ଭେଟିଲେ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ଓ ତାଙ୍କ ଟିମ । ମହିଳାଙ୍କ ପାଇଁ ଲୋକସଭା ଓ ବିଧାନସଭାରେ ୩୩% ସ୍ଥାନ ସଂରକ୍ଷଣ ସମ୍ପର୍କିତ ବିଲ୍ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏସମ୍ପର୍କିତ ବିଲ୍ ସଂସଦରେ ପାରିତ କରିବା ଦିଗରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ବିଜେଡି ନେତା । ଏହାସହ ଓଡ଼ିଶା ବିଧାନସଭାରେ ଏସମ୍ପର୍କିତ ପ୍ରସ୍ତାବ ସର୍ବସମ୍ମତରେ ପାରିତ ହୋଇଥିବା ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପାର୍ଲାମେଣ୍ଟରେ ଏସମ୍ପର୍କିତ ବିଲ୍ ଆଜି ପର୍ୟ୍ୟନ୍ତ ପାରିତ ହୋଇନାହିଁ । ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ସବୁ ରାଜନୈତିକ ଦଳଙ୍କ ସମ୍ମତି ଯୋଗାଡ଼ରେ ଲାଗିଛି ବିଜେଡି । ୨୨ଟି ଆଞ୍ଚଳିକ ଓ ଜାତୀୟ ଦଳ ମୁଖିଆଙ୍କୁ ଭେଟି ସମର୍ଥନ ଜୁଟାଉଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମହିଳା ସଂରକ୍ଷଣ ବିଲ୍କୁ ସମର୍ଥନ ପାଇଁ ଅନୁରୋଧ ବି କରିଛନ୍ତି ।