ନବୀନଙ୍କୁ ଭେଟିଲେ ସହଦେଵ ନାୟକଙ୍କ ପରିବାର, ୫୦ହଜାର ଟଙ୍କା ସହାୟତା ପ୍ରଦାନ କଲେ ବିରୋଧୀ ଦଳ ନେତା
ଭୁବନେଶ୍ୱର : ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୃତ ସହଦେଵ ନାୟକଙ୍କ ପରିବାର । ସମବେଦନା ଜଣାଇବା ସହ ସାହାଯ୍ୟର ପ୍ରତିଶ୍ରୁତି ଦେଇଛନ୍ତି ବିରୋଧୀ ଦଳ ନେତା । ସେହିପରି ଶୁଦ୍ଧି କର୍ମ ପାଇଁ ୫୦ ହଜାର ଟଙ୍କା ସହାୟତା ଦେଇଛନ୍ତି ନବୀନ । ହତ୍ୟାର ଶିକାର ହୋଇଥିବା ସହଦେବଙ୍କ ପତ୍ନୀ ଓ ଦୁଇ ଝିଅ ଗତକାଲି ସନ୍ଧ୍ୟାରେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ସ୍ୱାମୀଙ୍କ ନୃଶଂସ ହତ୍ୟାରେ ସମ୍ପୃକ୍ତ ସମସ୍ତଙ୍କୁ କଠୋର ଶାସ୍ତି ପାଇଁ ଦାବି କରିଛନ୍ତି ।
ସହଦେଵ ନାୟକଙ୍କ ପତ୍ନୀ ଓ ପିଲାମାନଙ୍କୁ ନବୀନ ସାନ୍ତ୍ୱନା ଦେବା ସହ ଏ ଦାରୁଣ ବିପତ୍ତି ସମୟରେ ସେ ତାଙ୍କ ସହ ଅଛନ୍ତି ଓ ତାଙ୍କୁ ସମସ୍ତ ସାହାଯ୍ୟ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଜଘନ୍ୟ ହତ୍ୟା ଘଟଣାକୁ କଡା ନିନ୍ଦା କରିବା ସହ ତାଙ୍କ ପରିବାର ଙ୍କୁ ଯେପରି ନ୍ୟାୟ ମିଳିବ ସେଥିପାଇଁ ଲଢେଇ କରିବେ ବୋଲି ନବୀନ କହିଛନ୍ତି । ସହଦେବ ନାୟକଙ୍କ ଉତ୍ତରାଧିକାରୀଙ୍କୁ ୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ସହ ଏଜେନ୍ସି ଜରିଆରେ ସୁପରଭାଇଜର ଚାକିରି ପ୍ରଦାନ କରାଯାଇଛି ।
ସୂଚନା ଯୋଗ୍ୟ ବୁଧବାର ( ୮ ତାରିଖ) ରସୁଲଗଡ ଓଭରବ୍ରିଜ ଉପରେ ଏହି ହତ୍ୟାକାଣ୍ଡ ଘଟିଥିଲା । ମୃତ ସହଦେବ ଏକ ସ୍କୁଟିରେ ଯାଉଥିବା ବେଳେ ଅଭିଯୁକ୍ତମାନେ ବାଇକରେ ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଧାରୁଆ ମାରଣାସ୍ତ୍ରରେ ନିର୍ମମ ଭାବେ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହାର କିଛି ମିନିଟ୍ ପରେ ରାସ୍ତା ଉପରେ ମୃତଦେହ ପଡିଥିବା ବେଳେ ଦୁଇଜଣ ହେଲମେଟ୍ ପିନ୍ଧା ଅଜ୍ଞାତ ବ୍ୟକ୍ତି ଏକ ବାଇକରେ ଆସି ନିକଟରେ ପଡିଥିବା ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଧରି ଦ୍ରୁତ ଗତିରେ ଫେରାର ହୋଇଯାଇଥିଲେ । ହତ୍ୟାର ଶିକାର ହୋଇଥିବା ସହଦେବ ନାୟକ ଭୁବନେଶ୍ବର ମହାନଗର ନିଗମରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ନେତୃତ୍ବ ନେଉଥିବା ବେଳେ ପୂର୍ବରୁ ଜଣେ ପୋଲିସ ମିତ୍ର ଭାବେ ମଧ୍ୟ କାମ କରୁଥିଲେ ।