ଖୋଲିବ ରତ୍ନଭଣ୍ଡାର: ଗଠନ ହେଲା ନୂଆ ୧୬ ଜଣିଆ କମିଟି, ଆସନ୍ତାକାଲି ଚୂଡ଼ାନ୍ତ ନିଷ୍ପତ୍ତି

ପୁରୀ : ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ନେବା ଲାଗି ରାଜ୍ୟ ସରକାର ଗଠନ କରିଛନ୍ତି ନୂଆ କମିଟି । ହାଇକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି। ୧୬ ଜଣ ସଦସ୍ୟଙ୍କୁ ନେଇ ଗଠନ ହୋଇଛି ଏହି କମିଟି।

ସେପଟେ ୧୬ ଜଣିଆ କମିଟି ସଦସ୍ୟଙ୍କ ତାଲିକା ପ୍ରକାଶ ପାଇଛି । ବିଭିନ୍ନ କ୍ଷେତ୍ରରୁ ବିଶିଷ୍ଟ ବ୍ୟକ୍ତିଙ୍କୁ କମିଟିରେ ରଖାଯାଇଛି। କମିଟିରେ ଅଛନ୍ତି ଡାକ୍ତର ସିବିକେ ମହାନ୍ତି, ଚାଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ସାହୁ। ଜଗଦୀଶ ମହାନ୍ତି, ସ୍ବାମୀ ପ୍ରଜ୍ଞାନନ୍ଦଜୀ , ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବି କମିଟିରେ ଅଛନ୍ତି । ହରିହର ହୋତା, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ,ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଜଗନ୍ନାଥ ଦାସମହାପାତ୍ର, ସୌମେନ୍ଦ୍ର ମୁଦୁଲୀ, ମଧୁସୂଦନ ସିଂହାରୀ , ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର, ଏଏସଆଇ ପ୍ରତିନିଧି ବି କମିଟିରେ ସ୍ଥାନ ପାଇଛନ୍ତି ।

ଅନ୍ୟପଟେ କେଉଁ ଦିନ ଖୋଲିବ ରତ୍ନଭଣ୍ଡାର ଆସନ୍ତାକାଲି ନିଷ୍ପତ୍ତି ଚୂଡ଼ାନ୍ତ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ରଥଯାତ୍ରା ପରେ କେଉଁ ଦିନ ରତ୍ନଭଣ୍ଡାର ଖୋଲାଯିବ ସେ ନିଷ୍ପତ୍ତି ନେବ କମିଟି । ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଓ ମୋଡାଲିଟି ନିର୍ଦ୍ଧାରଣ କରିବ କମିଟି ।  କମିଟି ଯାହା ନିଷ୍ପତ୍ତି ନେବ ସେହି ଅନୁଯାୟୀ କାର୍ଯ୍ୟ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।