ସେ ଜୀବିତ ହେଲେ କାଗଜ କଲମରେ ମୃତ, ୧୫ ଦିନ ହେଲା ଧାରଣାରେ ବସିଛନ୍ତି ବୁଢ଼ୀ ମାଉସୀ
ହାତ ଥରୁଛି ବୟସ ଆସି ପହଁଚିଛି ଅପରାହ୍ନରେ । ହେଲେ ପ୍ରଚଣ୍ଡ ଖରାରେ ୮୦ ବର୍ଷୀୟା ବୃଦ୍ଧା ମାଉସୀ ଧାରଣା ଦେଇଛନ୍ତି । ସେ ବଞ୍ଚିଛନ୍ତି ହେଲେ ବଞ୍ଚି ଥାଉ ଥାଉ ତାଙ୍କୁ ତହସିଲ କାର୍ଯ୍ୟାଳୟ ମାରିଦେଇଛି ।

ରାୟଗଡା (କେନ୍ୟୁଜ) : କାନ୍ଥକୁ ଆଉଜି ଖଣ୍ଡିଏ ଚେୟାର ଉପରେ ବସିଛନ୍ତି ବୁଢ଼ି ମାଉସୀ । ଏ ୪୦ ଡିଗ୍ରୀ ଖରାକୁ ପୁଣି ଉପରେ ତାଙ୍କ ବୟସ ତାଙ୍କୁ ଯେମିତି ମାରି ପକାଉଥାଏ । ସେଥିପାଇଁ ମାଉସୀ ଗୋଟେ ପାଣି ବୋତଲରୁ କେଇ ବୁନ୍ଦା ପାଣି ବାହାର କରି ମୁହଁରେ ଛିଞ୍ଚି ଦେଉଥାନ୍ତି । ହାତ ଥରୁଛି ବୟସ ଆସି ପହଁଚିଛି ଅପରାହ୍ନରେ । ହେଲେ ପ୍ରଚଣ୍ଡ ଖରାରେ ୮୦ ବର୍ଷୀୟା ବୃଦ୍ଧା ମାଉସୀ ଧାରଣା ଦେଇଛନ୍ତି । ସେ ବଞ୍ଚିଛନ୍ତି ହେଲେ ବଞ୍ଚି ଥାଉ ଥାଉ ତାଙ୍କୁ ତହସିଲ କାର୍ଯ୍ୟାଳୟ ମାରିଦେଇଛି ।
ଶୁଣିବାକୁ ଅଜବ ଲାଗୁଥିଲେ ବି ଏ କଥା ବିଲକୁଲ ସତ । ଗତ ୧୫ ଦିନ ଧରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଚଣ୍ଡ ଖରାରେ ସେ ଜୀବିତ ଥିବା ପ୍ରମାଣପତ୍ର ଦାବୀ କରି ଧାରଣା ଦେଉଛନ୍ତି ଜଣେ ୮୦ ବର୍ଷୀୟ ବୃଦ୍ଧା ମହିଳା କେ. ପାର୍ବତୀ । ପରିଣତ ବୟସରେ ପାର୍ବତିଙ୍କ ଏହି ନିଷ୍ପତି ପଛର କାହାଣି ଚିନ୍ତାଜନକ ଓ ପୀଡାଦାୟକ । କାରଣ ବିଭିନ୍ନ ସରକାରୀ ରେକର୍ଡ, ପରିବାର, ପଡୋଶି, ଓ ସମ୍ପର୍କୀୟଙ୍କ ପାଇଁ ସେ ଜୀବିତ ହେଲେ ରାୟଗଡା ତହସିଲଦାରଙ୍କ ପାଇଁ ସେ ମୃତ । ବଂଚି ଥାଉ ଥାଉ ତାଙ୍କୁ କାଗଜ କଲମରେ ମାରିଦେଇଛନ୍ତି ଏହି ସରକାରୀ କର୍ମଚାରୀ । ରାୟଗଡା ସହରର କେ.ଗୋବିନ୍ଦ ପଟନାୟକ ପୈତୃକ ସମ୍ପତିର ପଟା ନିଜ ନାଁରେ କରାଇବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ଏହି ଆବେଦନ ଆଧାରରେ ଉତରାଧୀକାରୀ ଏବଂ ପରିବାର ସଦସ୍ୟଙ୍କ ସଂପୂର୍ଣ୍ଣ ତଥ୍ୟ ଉପଲବ୍ଧ କରିବା ପାଇଁ ରାୟଗଡା ତହସିଲଦାରଙ୍କୁ ନିର୍ଦ୍ଧେଶ ମିଳିଥିଲା । ରାୟଗଡା ରାଜସ୍ୱ ନୀରିକ୍ଷକ ତଦନ୍ତ କରି ରିପୋର୍ଟ ଦାଖଲ କଲେ । ତେବେ ଏହି ରିପୋର୍ଟ ସନ୍ତୋଷଜନକ ନହବାରୁ ଏଥିପାଇଁ ପୁନର୍ବାର ଆବେଦନ କରିବାରୁ ରାଜସ୍ୱ ସୁପରଭାଇଜର ତଦନ୍ତ କଲେ । ତଦନ୍ତ ପରେ ଯେଉଁ ରିପୋର୍ଟ ଦାଖଲ କଲେ ସେଥିରେ ଜୀବିତ ଥିବା ଗୋବିନ୍ଦଙ୍କ ମାଆ କେ. ପାର୍ବତୀ ପଟନାୟକଙ୍କୁ ମୃତ ଦର୍ଶାଇଲେ । ଯାହାଫଳରେ ଜୀବିତ ଥିବା ସତ୍ୱେ ସରକାରୀ କାଗଜରେ ମରିଗଲେ ପାର୍ବତୀ ।
ପାର୍ବତୀ କହିଛନ୍ତି ଯେ ପରିଣତ ବୟସରେ ସେ ଜୀବିତ ଥିବା ପ୍ରମାଣ ଦବାକୁ ପଡୁଛି । ଏହାଠାରୁ ଅଧିକ ବିଡମ୍ବନା କଣ ହୋଇପାରେ । ଦୀର୍ଘ ୧୫ ଦିନ ହେଲାଣି ସେ ପ୍ରଚଣ୍ଡ ଖରାରେ ଧାରଣା ଦେଉଛନ୍ତି, ଏହି ବାଟ ଦେଇ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସମେତ ତହସିଲଦାର ତାଙ୍କୁ ଦେଖୁଛନ୍ତି, ହେଲେ ସେମାନେ ମୂକ ଓ ବଧିର ପାଲଟି ଯାଇଛନ୍ତି ବୋଲି କହିଛନ୍ତି କେ. ପାର୍ବତୀ । ଯେତେଦିନ ପର୍ଯ୍ୟନ୍ତ ତାଙ୍କୁ ଜୀବିତ ଥିବା ପ୍ରମାଣପତ୍ର ଏହି ତହସିଲ ପ୍ରଦାନ କରିନାହିଁ ସେତେଦିନ ପର୍ଯ୍ୟନ୍ତ ସେ ଏହିପରି ଧାରଣା ଦେଉଥିବେ ବୋଲି ପ୍ରକାଶ କରିଛନ୍ତି । ଏନେଇ ରାୟଗଡା ତହସିଲଦାର କୌଣସି ମନ୍ତବ୍ୟ ଦବାକୁ ମନା କରିଦେଇଥିବା ବେଳେ ରାୟଗଡା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଏହାର ତଦନ୍ତ ନିର୍ଦ୍ଧେଶ ଦେଇଛନ୍ତି ଓ ଏହାର ତଦନ୍ତ ଚାଲିଥିବା ନେଇ ସୂଚନା ମିଳିଛି ।
ସ୍ଥାନୀୟ ତହସିଲଦାର ଓ ପୁଲିସ ପ୍ରଶାସନ ଧାରଣା ସ୍ଥଳକୁ ଯାଇ ବୃଦ୍ଦାଙ୍କୁ ବୁଝାସୁଝା କରିଛନ୍ତି । ତଥାପି ଜୀବିତ ଥିବା ପ୍ରମାଣ ପତ୍ର ନମିଳିଲା ଯାଏଁ ସେ ଧାରଣରୁ ହଟିବେ ନାହିଁ ବୋଲି ପ୍ରକାଶ କରିଛନ୍ତି । ପ୍ରବଳ ଗ୍ରୀଷ୍ଣ ପ୍ରବାହକୁ ଖାତିର ନକରି ନିଜ ହକ୍ ପାଇଁ ଧାରଣା ଦେଇଛନ୍ତି ବୃଦ୍ଦା ପାର୍ବତୀ । ଏଭଳି ପରିସ୍ଥିତିରେ ପ୍ରଶାସନ ବୃଦ୍ଦା ପାର୍ବତୀକୁ ନ୍ୟାୟ ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ହୋଇଛି ।