ସରସ ସୁନ୍ଦର ହେବ ମିଲେନିୟମ୍ ସିଟି । ଝଲସିବ କଟକ ସହର । ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ଆକ୍ସନ ପ୍ଲାନ । ଆଜି କଟକ ଗସ୍ତରେ ଯାଇ ମାତା ମଠ ନିକଟରେ ମହାନଦୀ କୂଳ ବୁଲି ଦେଖିବା ସହ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଘୋଷଣା କରିଛନ୍ତି, କଟକ ସହର ପାଇଁ ଏକ Decongestion Plan କରାଯିବ । ମହାନଦୀ କୂଳର ବିକାଶ କରାଯିବା ସହ ରିଂ ରୋଡ୍ ୬ ଥାକିଆ ହେବ । ମହାନଦୀରୁ ପୁନରୁଦ୍ଧାର ୪୨୪ ଏକର ଜମିରେ କରାଯିବ ବିଭିନ୍ନ ପ୍ରକାର ପ୍ରକଳ୍ପ। କଟକବାସୀଙ୍କ ସୁବିଧା ପାଇଁ ଶିକ୍ଷା, କ୍ରୀଡ଼ା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ନିର୍ମାଣ କରାଯିବ ପ୍ରକଳ୍ପ ।
ରାସ୍ତାଘାଟର ପ୍ରଶସ୍ତିକରଣ ସହ ମୁକ୍ତ ପରିବେଶ, ଉଦ୍ୟାନ, ସବୁଜିମା ସହିତ ଅତ୍ୟାଧୁନିକ ଭିତ୍ତିଭୂମିର ବିକାଶ କରାଯାଇ କଟକ ସହରକୁ ନୂଆ ରୂପ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁକ୍ତ ପରିବେଶ ସୃଷ୍ଟି ସହ ବିଶ୍ୱସ୍ତରୀୟ ରିଭର୍ ଫ୍ରଣ୍ଟର ବିକାଶ କରାଯିବ । ଜମିର ଅଧିକାଂଶ ଅଞ୍ଚଳରେ ସୃଷ୍ଟି କରାଯିବା ସବୁଜିମା ବଳୟ । କଟକ ସହର ପାଇଁ ଏସବୁ ଯୋଜନାରେ ନିୟୋଜିତ ହେବେ ଅଭିଜ୍ଞ ଓ ଦକ୍ଷ ସିଟି ପ୍ଲାନର୍ । କଟକ ସହରରେ ଦେଖାଦେଉଥିବା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି, ରିଂ ରୋଡ୍କୁ ୬ ଥାକିଆ କରାଯିବ । କଟକ ସହରର ବିକାଶ ପାଇଁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦେବେ ରାଜ୍ୟ ସରକାର । ଯୋଜନାକୁ ବାସ୍ତବ ରୂପ ଦେବା ପାଇଁ କଟକ ବାସିନ୍ଦାଙ୍କ ମତାମତ ଲୋଡ଼ାଯିବ । ତାସହ ସେମାନଙ୍କର ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ । କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଉନ୍ନତିକରଣ କାମ ଆସନ୍ତା ମାର୍ଚ୍ଚ ମାସରୁ ଆରମ୍ଭ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।