ବଙ୍ଗୋପସାଗରରେ ସକ୍ରିୟ ରହିଛି ଗଭୀର ଅବପାତ: ଆସନ୍ତା ୧୨ ଘଣ୍ଟାରେ ସୃଷ୍ଟି ହେବ ବାତ୍ୟା

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ସକ୍ରିୟ ରହିଛି ଗଭୀର ଅବପାତ । ଆଜି ଡିପ୍ରେସନ୍‌ ନେଇଛି ଡିପ୍‌ ଡିପ୍ରେସନର ରୂପ । ଆସନ୍ତା ୧୨ ଘଣ୍ଟାରେ ସୃଷ୍ଟି ହେବ ବାତ୍ୟା । ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଆଗକୁ ବଢୁଛି ଡିପ୍‌ ଡିପ୍ରେସନ୍‌ । ପୋର୍ଟବ୍ଲେୟାରଠାରୁ ଉତ୍ତର-ପଶ୍ଚିମ ଦିଗରେ ୫୮୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି ।

ଆସନ୍ତା ୧୨ ଘଣ୍ଟା ଯାଏ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ସାମୁଦ୍ରିକ ଝଡ଼ ସି-ତ୍ରଙ୍ଗର ରୂପ ନେବ । ଏହାପରେ ରିକର୍ଭ କରିବ ବାତ୍ୟା । ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ବାଂଲାଦେଶ ଅଭିମୁଖେ ମୁହାଁଇବ । ୨୫ ତାରିଖ ସକାଳେ ବାଂଲାଦେଶ ଉପକୂଳର ତିନକୋଣା ଦ୍ୱୀପ ଓ ସାଣ୍ଡଓ୍ଵିପ୍‌ ମଝିରେ ଲାଣ୍ଡଫଲ୍‌ କରିବ । କଳିଙ୍ଗ ଟିଭିକୁ ଏହି ସୂଚନା ଦେଇଛନ୍ତି ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ସମୁଦ୍ର ଭିତରେ ସି-ତ୍ରଙ୍ଗ ନେଇପାରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ଧାରଣ କରିପାରେ । ଆଜିଠାରୁ ପ୍ରଭାବ ଦେଖାଇବା ଆରମ୍ଭ କରିବ ସମ୍ଭାବ୍ୟ ବାତ୍ୟା । ପ୍ରବଳ ବର୍ଷା ଓ ପବନ ହେବ ।

ଆଜି ପବନର ବେଗ ୫୫ରୁ ୬୫ କିଲୋମିଟର ଓ ଏହା ବଢ଼ି ୭୫ କିଲୋମିଟର ଛୁଇଁପାରେ । ଆସନ୍ତାକାଲି ଘଣ୍ଟାପ୍ରତି ୮୦ରୁ ୯୦ ଓ ଝଟକା ପବନର ବେଗ ଶହେ କିଲୋମିଟର ରହିବା ସମ୍ଭାବନା ରହିଛି । ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବେଳେ ସମୁଦ୍ର ଭିତରେ ୮୫ରୁ ୯୫ କିଲୋମିଟ ଓ ଝଟକା ପବନର ବେଗ ୧୦୫ କିଲୋମିଟର ରହିବ । ୨୫ ସକାଳେ ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୯୦ରୁ ଶହେ ଓ ଏହା ବଢ଼ି ୧୧୦ କିଲୋମିଟର ଛୁଇଁପାରେ । ବାତ୍ୟା ପ୍ରଭାବରେ ଆଜିଠୁ ଓଡ଼ିଶା ଉପକୂଳରେ ଆରମ୍ଭ ହେବ ବର୍ଷା ପବନ । ପ୍ରବଳ ବର୍ଷା ନେଇ ଆଜି ପାଇଁ ୩ ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି । କାଲି ପାଇଁ ୬ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକରୁ ଦିଆଯାଇଛି ୟେଲୋ ଓ୍ଵାର୍ଣ୍ଣିଂ । ସେହିପରି ଓଡ଼ିଶା ଉପକୂଳରେ ଆଜିଠାରୁ ୩୫ରୁ ୪୫ କିଲୋମିଟ ଓ ଝଟକା ପବନରେ ବେଗ ୫୫ କିଲୋମିଟର ରହିପାରେ । ସମୁଦ୍ର ଅଶାନ୍ତ ରହୁଥିବାରୁ ୨୫ ତାରିଖ ଯାଏ ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.