ଆନ୍ଧ୍ର ଉପକୂଳରେ ଅବପାତ ସକ୍ରିୟ: ଭୁବନେଶ୍ବର, କଟକ ସମେତ ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା

ଭୁବନେଶ୍ୱର : ଆନ୍ଧ୍ର ଉପକୂଳରେ ଅବପାତ ସକ୍ରିୟ । ଘଣ୍ଟା ପ୍ରତି ୫ କିଲୋମିଟର ବେଗରେ ଆଗକୁ ବଢୁଛି । ଆସନ୍ତା ୨୪ ଘଣ୍ଟାରେ ଉତ୍ତର-ପୂର୍ବ ଦିଗରେ ଗତି କରିବ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ଜାରି । ବର୍ଷା ସାଙ୍ଗକୁ ଥଣ୍ଡା ପବନ ଯୋଗୁ ଶୀତ ଅନୁଭୂତ ହେଉଛି। ଭୁବନେଶ୍ବର, କଟକ ସମେତ ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଗତରାତିରୁ ତୁହାକୁ ତୁହା ବର୍ଷା ଯୋଗୁ ଲୋକମାନେ ହନ୍ତସନ୍ତ । ଗାଡ଼ି ଚଳାଚଳ ପ୍ରଭାବିତ । ବର୍ଷା ପ୍ରଭାବରେ ଦିନ ତାପମାତ୍ରାରେ ବଡ଼ ହ୍ରାସ । ରାଜଧାନୀ ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ କମିଛି ।

ଆଜି ପ୍ରବଳ ବର୍ଷା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗଜପତି, ଗଞ୍ଜାମ, ଜଗତସିଂହପୁର ଏବଂ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଓ ଆଭ୍ଯନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବର୍ଷା ଲାଗି ରହିଥିବାରୁ ଚାଷୀଙ୍କୁ କ୍ଷେତରୁ ପାଚିଲା ଧାନ ଅମଳ ଚିନ୍ତା ଘାରିଛି । ଯେଉଁ ଧାନ କାଟି ଥିଲେ ତାକୁ ବୋହି ଆଣି ସୁରକ୍ଷିତ ସ୍ଥାନରେ ରଖୁଛନ୍ତି ।