ଗଭୀର ଅବପାତର ରୂପ ନେଲା ଅବପାତ: ମଧ୍ୟାହ୍ନରେ ପୁରୀ ଅତିକ୍ରମ କରିବ, ୫ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

ଭୁବନେଶ୍ୱର: ଗଭୀର ଅବପାତର ରୂପ ନେଲା ଅବପାତ । ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ପୁରୀଠାରୁ ୧୧୦ କିମି ଦୂରରେ ରହିଛି ଗଭୀର ଅବପାତ । ଗୋପାଳପୁରରୁ ୧୫୦ ଓ ପାରାଦୀପରୁ ୧୬୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି ଅବପାତ । ଏହା ଘଣ୍ଟା ପ୍ରତି ୭ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ମଧ୍ୟାହ୍ନରେ ପୁରୀ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ଭୀଷଣ ବର୍ଷା ପାଇଁ ଆଜି ୫ ଜିଲ୍ଲା ପୁରୀ,ଜଗତସିଂହପୁର, ଖୋର୍ଦ୍ଧା, କଟକ ଓ ଢେଙ୍କାନାଳକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି । ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ପ୍ରବଳ ବର୍ଷା ପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତା ୧୧ ପର୍ଯ୍ୟନ୍ତ ସମୁଦ୍ର ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।

ଧାମରା, ପାରାଦୀପ, ପୁରୀ ଏବଂ ଗୋପାଳପୁର ପୋର୍ଟକୁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ପ୍ରବଳ ବର୍ଷା ଯୋଗୁଁ ଉପକୂଳ ଜିଲ୍ଲାର ତଳି ଅଞ୍ଚଳରେ ପାଣି ପଶିବାର ସମ୍ଭାବନା ରହିଛି । ତେବେ ଆଜି ପାଇଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like