ବିଏସଏଫ୍ ପକ୍ଷରୁ ମହିଳା ଯବାନଙ୍କୁ ନେଇ ଏହି ଜଳଯାତ୍ରା, ଗୋଟିଏ ଟିମର ଲିଡର ଓଡ଼ିଆ ଝିଅ ଦୀପ୍ତିମୟୀ

ବ୍ରହ୍ମପୁର: ଗଙ୍ଗୋତ୍ରୀ ଠାରୁ ଗଙ୍ଗା ସାଗର ପର୍ଯ୍ୟନ୍ତ ଦୁଃସାହାସିକ ନୌଚାଳନା ଅଭିଯାନ । ଗଙ୍ଗାକୁ ସ୍ୱଚ୍ଛ ରଖିବା ଓ ମହିଳା ସଶକ୍ତିକରଣର ବାର୍ତ୍ତା ପ୍ରଚାର କରିବା ଉଦ୍ଦେଶ୍ୟ ନେଇ ବୋର୍ଡର ସିକ୍ୟୁରିଟି ଫୋର୍ସର ମହିଳା ଯବାନଙ୍କ ଦ୍ୱାରା ରାଫଟିଙ୍ଗ୍ ଏକ୍ସପେଡିସନ ଆୟୋଜିତ କରାଯାଉଛି । ଏହି ଅଭିଯାନରରେ ବିଏସଏଫର ବଛା ବଛା ୨୦ ଜଣ ମହିଳା ଯବାନ ଏଥିରେ ସାମିଲ ହୋଉଛନ୍ତି । ଏଥି ମଧ୍ୟରୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଓରା ଗ୍ରାମର ବାସିନ୍ଦା ତଥା ବ୍ରହ୍ମପୁରସ୍ଥିତ ସାମନ୍ତରାୟ ଏକାଡେମୀର ପ୍ରଶିକ୍ଷାର୍ଥୀ ଦିପ୍ତିମୟୀ ତରାଇ ରହିଛନ୍ତି । ପ୍ରତ୍ୟେକ ଦିନ ସକାଳ ୮ଟାରୁ ଏହି ଟିମ୍ ଗଙ୍ଗା ନଦୀ ମଧ୍ୟରେ ଅଭିଯାନ ଆରମ୍ଭ କରିଥାନ୍ତି । ସନ୍ଧ୍ୟା ସୁଦ୍ଧା ବିଏସଏଫ୍ ପକ୍ଷରୁ ଦିଆଯାଇଥିବା ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥାନ୍ତି । ଏଭଳି ୫୩ ଦିନରେ ୨୫ଶହ କିଲୋମିଟର ଗଙ୍ଗା ନଦୀରେ ନୌକାରେ ଯିବେ ।

ଏହି ଅଭିଯାନ ନଭେମ୍ୱର ୨ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୨୪ ଡିସେମ୍ୱରରେ ଶେଷ ହେବ । ଦିପ୍ତିମୟୀ ୨୦୨୧ରେ ବିଏସଏଫରେ ସ୍ଥାନ ପାଇଥିଲେ । ସେ କହିଛନ୍ତି ଯେ- ଓଡ଼ିଆ ମହିଳା ଯବାନ୍ ଭାବେ ନେତୃତ୍ୱ ନେବାର ସୁଯୋଗ ପାଇଛି । ପ୍ରତିଦିନ ପାଣି ମଧ୍ୟରେ ନୂଆ ପ୍ରତିବନ୍ଧକର ସମ୍ମୁଖୀନ ହେଉଛୁ, ତଥାପି ତାହାକୁ ପାର କରି ଦିଆଯାଇଥିବା ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥାଉ । ଏହା ଆମ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି । ଦିପ୍ତି ଏହି ଦୁଃସାହାସିକ ଅଭିଯାନରେ ସାମିଲ ହେବା ପରେ ସେ ନିଯୁକ୍ତି ନିମନ୍ତେ ପ୍ରସ୍ତୁତି ହେଉଥିବା ବ୍ରହ୍ମପୁରର କୋଚିଂ ଏକାଡେମୀରେ ଖୁସିର ଲହରୀ ଖେଳିଯାଇଛି ।

ତେବେ ମହିଳା ବିଏସଏଫ୍ ଯବାନ ଦିପ୍ତି ଗରିବ ଶ୍ରେଣୀର ହୋଇଥିବା ବେଳେ ସେ ନା ପ୍ରତିବନ୍ଧକ ସତ୍ତ୍ୱ ନିଜର କଷ୍ଟ ଓ ପରିଶ୍ରମ ବଳରେ ବିଏସଏଫରେ ନିଯୁକ୍ତି ପାଇ ପାରିଥିଲେ । ଏପରିକି ନିଯୁକ୍ତି ପାଇବା ପୂର୍ବରୁ ଦିପ୍ତିଙ୍କ ମା ବାପା ମିକ୍ସର ତିଆରି କରିଥାନ୍ତି ଆଉ ସେହି ମିକ୍ସରକୁ ସେ ବିକ୍ରୀ କରି ସେନାରେ ଭର୍ତ୍ତି ହେବା ପାଇଁ ପ୍ରସ୍ତୁତି କରୁଥିଲେ । ଏଭଳି ଚାପ ଭିତରେ ଦେଶ ପାଇଁ କିଛି କରିବା ପାଇଁ ସ୍ୱପ୍ନ ଦେଖିଥିଲେ । ଆଉ କଠିନ ପରିଶ୍ରମ କରି ପାଠ ପଢି ନିଯୁକ୍ତି ମଧ୍ୟ ପାଇଥିଲେ । ଆଜି ତାଙ୍କର ଦୁଃସାହାସିକ ଯାତ୍ରା ପାଇଁ ଏକାଡେମୀର ଛାତ୍ର ଛାତ୍ରୀ ଓ ପରିଚାଳକ ଗର୍ବ ଅନୁଭବ କରିବା ସହ ତାଙ୍କଠାରୁ ପ୍ରେରଣା ପାଇବେ ବୋଲି କହିଛନ୍ତି । ସେପଟେ ତାଙ୍କରି ଏହି ଯାତ୍ରା କିଭଳି ସଫଳ ହେବ ସେ ନେଇ ତାଙ୍କରି ସହପାଠୀ ମାନେ ପ୍ରାର୍ଥନା କରିଛନ୍ତି ।

You might also like