ପରାଜିତ ପ୍ରାର୍ଥୀଙ୍କ ମନୋବଳ ବଢ଼ାଇଲେ ନବୀନ, ବୈଠକରେ ଆଗାମୀ ରଣନୀତି ସଂପର୍କରେ କଲେ ଆଲୋଚନା

ଭୁବନେଶ୍ୱର (କେନ୍ୟୁଜ): ମନୋବଳ ବଢ଼ାଇଲେ ନବୀନ । ଦଳୀୟ ନେତାଙ୍କ ମନୋବଳ ସୁଦୃଢ କରିବା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ମଙ୍ଗଳବାର ନିର୍ବାଚିତ ବିଧାୟକମାନଙ୍କ ସହ ଆଲୋଚନା କରିଥିବାବେଳେ ଗତକାଲି ପରାଜିତ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ସହ ଭାବ ବିନିମୟ କରିଛନ୍ତି । ନିର୍ବାଚନରେ ପରାଜୟ ଲାଭ କରିଥିବା ପ୍ରାର୍ଥୀଙ୍କୁ ଭାଙ୍ଗି ନପଡି ରାଜ୍ୟବାସୀଙ୍କ ପାଇଁ ଯେପରି କାର୍ଯ୍ୟ କରି ଆସୁଥିଲେ ସେହିପରି କାର୍ଯ୍ୟ ଅବ୍ୟାହତ ରଖିବାକୁ ପରାମର୍ଶ ଦେଇଛନ୍ତି । ଦଳର ସଭାପତିଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନରେ ପରାଜିତ ହୋଇଥିବା ବିଭିନ୍ନ ଲୋକସଭା କ୍ଷେତ୍ର ଓ ବିଧାନସଭା କ୍ଷେତ୍ରର ପ୍ରାର୍ଥୀମାନେ ନବୀନ ନିବାସରେ ପହଞ୍ଚିଥିଲେ ।
ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋଙ୍କୁ ଭେଟିଥିଲେ । ବୈଠକରେ ଆଗାମୀ ରଣନୀତି ସଂପର୍କରେ ଆଲୋଚନା କରିଛନ୍ତି। ନବୀନ ନିବାସରୁ ଫେରିବା ପରେ ଦଳର ଆଗାମୀ ରଣନୀତି ସମ୍ପର୍କରେ ସଭାପତିଙ୍କ ସହ ଆଲୋଚନା ହୋଇଥିବା କହିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ବିଜେଡି ସଭାପତି ଏକ କମିଟି ଗଠନ କରିଛନ୍ତି। କମିଟି ପରାଜୟ ତର୍ଜମା କରି ରିପୋର୍ଟ ଦେବ ବୋଲି କହିଛନ୍ତି ପ୍ରଣବ ପ୍ରକାଶ । ୨୫ ବର୍ଷ ସରକାର କ’ଣ କରିଛି, କେମିତି ଆଗକୁ ଲଢ଼େଇ ଜାରି ରହିବ ସେ ସଂପର୍କରେ ଆଲୋଚନା ହୋଇଛି। ସେ ସବୁ ବେଳେ ଆମ ଆଗରେ ରହି ଲଢ଼େଇ ଜାରି ରଖିବେ । ଆଗକୁ ଦଳ କ’ଣ କରିବ ସେ ନେଇ ମଧ୍ୟ ନବୀନ ପରାମର୍ଶ ଦେଇଛନ୍ତି। ସେପଟେ ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି ପ୍ରଦୀପ ମାଝୀ ।