ଆସୁଛି କି ମହାବିପତ୍ତି ? ଆଜିବି ମହାପ୍ରଭୁଙ୍କ ନୀତିରେ ବିଳମ୍ବ, ଲକ୍ଷାଧିକ ଟଙ୍କାର ଅବଢ଼ା ନଷ୍ଟ

ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବ ଯୋଗୁ ଲକ୍ଷାଧିକ ଟଙ୍କାର ଅବଢ଼ା ନଷ୍ଟ ଅଭିଯୋଗ । ଅଭିଯୋଗ ଆଣିଛି ସୁଆର ମହାସୁଆର ନିଯୋଗ । ଚଳିତ ବର୍ଷ ଘୋଷ ଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ଲାଗିଛି। ଭକ୍ତଙ୍କ ଲାଗି ସୁଆର ମହାସୁଆର ନିଯୋଗ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣ ଅବଢ଼ା ରନ୍ଧା ଗଲେ ମଧ୍ୟ ନୀତି ବିଳମ୍ବ ଯୋଗୁ ୮ରୁ ୧୦ ଲକ୍ଷ ଟଙ୍କାର ଅବଢ଼ା ନଷ୍ଟ ହୋଇଥିବା ଅଭିଯୋଗ ଆଣିଛି ସୁଆର ମହା ସୁଆର ନିଯୋଗ । ଆଜି ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ନିଷ୍କର୍ଷ ବାହାରିବ । କାହିଁକି ନୀତି ଏତେ ସମୟରେ ବିଳମ୍ବ ହେଉଛି । ତେବେ ମଧ୍ୟାହ୍ନ ଧୂପ ଏବଂ ଦ୍ଵିତୀୟ ଭୋଗ ମଣ୍ଡପ ନୀତି ବିଳମ୍ବ ଯୋଗୁ ବରଦୀ ଅବଢ଼ା ସହ ଭକ୍ତମାନେ ଅବଢ଼ା କିଣି ପାରୁନାହାନ୍ତି । ଫଳରେ ଲକ୍ଷାଧିକ ଟଙ୍କାର ଅବଢ଼ା ନଷ୍ଟ ହେବା ଅଭିଯୋଗ ହୋଇଛି। ପ୍ରତ୍ୟକ ଦିନ ଭକ୍ତଙ୍କ ଲାଗି ପର୍ଯ୍ୟାପ୍ତ ପରିମାଣରେ ଅବଢ଼ା ପ୍ରସ୍ତୁତ କରାଯାଉଛି ।
ଅନ୍ୟପଟେ ଆଜି ଆଡ଼ପ ପହଣ୍ଡି ବେଳେ ଚାରମାଳ ଉପରେ ପ୍ରଭୁ ବଳଭଦ୍ର ହାମୁଡେଇ ପଡିଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର । ସେ କହିଛନ୍ତି ଏଭଳି ଘଟଣା ତାଙ୍କ ଜୀବନକାଳ ଭିତରେ କେବେ ଘଟି ନଥିଲା । ବାହୁଡା଼ ଯାତ୍ରାରେ ରଥ ଉପରେ ଆବଶ୍ୟକତା ଠାରୁ ଅଧିକ ସେବାୟତ ରହିଲେ ପହଣ୍ଡିରେ ବିଭ୍ରାଟ ହେବ ବୋଲି ସେ ଚେତାବନୀ ଦେଇଛନ୍ତି । ମହାପ୍ରଭୁଙ୍କ ନୀତି କାନ୍ତିରେ ବିଭ୍ରାଟ ହୋଇଛି। ବର୍ଷବର୍ଷର ପରମ୍ପରାକୁ ଭାଙ୍ଗି ନୀତିକାନ୍ତି ହୋଇଛି । ଅଣସର ଘରେ ସେନାପଟା ଲାଗି ହୋଇଛି । ହଜାର ହଜାର ବର୍ଷର ରଥ ଆଜ୍ଞାମାଳ ବିଧିକୁ ବି ଭାଙ୍ଗି ଦିଆଯାଇଛି । ଭୋକ ଉପାସରେ ଠାକୁରଙ୍କୁ ପହଣ୍ଡି କରି ଅଣାଯାଇଛି । ପ୍ରତିପଦ ବଦଳରେ ଦ୍ବିତୀୟାରେ ହୋଇଛି ନେତ୍ରୋତ୍ସବ ଓ ନବଯୌବନ ନୀତି ହୋଇଛି ବୋଲି ହଳଧର ଦାସ ମହାପାତ୍ର କହିଛନ୍ତି ।