ଘାଟି ଛଡ଼ାଇ ନେଇଛି ଦାନାପାଣି, କଳିଙ୍ଗା ଘାଟି ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବା ପାଇଁ ଦାବି

ଭଞ୍ଜନଗର: ଘାଟି ଛଡ଼ାଇ ନେଇଛି ଦାନାପାଣି । ଭୂସ୍ଖଳନର ୨୪ ଦିନ ପରେ ବି ଜାରି ରହିଛି ଅଚଳାବସ୍ଥା । ଗଞ୍ଜାମ-କନ୍ଧମାଳ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ରହିଛି । ବ୍ରହ୍ମପୁର ମେଡ଼ିକାଲ ଉପରେ ନିର୍ଭର କରୁଥିବା କନ୍ଧମାଳ ଜିଲ୍ଲାର ରୋଗୀମାନେ ପ୍ରଭାବିତ ହେଉଛନ୍ତି । ତେଣୁ ଏବେ କଳିଙ୍ଗା ଘାଟି ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବା ଜରୁରୀ ହୋଇପଡିଛି ‌। ଏହାସହ ବିକଳ୍ପ ରାସ୍ତା ଭାବେ ଗଞ୍ଜାମ ଦୁର୍ଗାପ୍ରସାଦ ଠାରୁ କନ୍ଧମାଳ ଜିଲ୍ଲା ଭାଲିଙ୍ଗିଆ ପର୍ଯ୍ୟନ୍ତ ବାଇପାସ୍ ରାସ୍ତା ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି ।

ଏନେଇ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏବଂ ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଛନ୍ତି ଉଭୟ ଜିଲ୍ଲାବାସୀ । ଗତ ମାସ ୧୬ ତାରିଖରେ ପ୍ରଥମଥର ପାଇଁ ଘାଟିରେ ବଡଧରଣର ଭୂସ୍ଖଳନ ହୋଇଥିଲା । ଯାହା ଫଳରେ ବଡ ବଡ ପଥର ଖଣ୍ଡ ଏବଂ ମାଟି ଅତଡା ଖସି ଘାଟିର ୫୦ ମିଟର ରାସ୍ତା ସମ୍ପୂର୍ଣ୍ଣ ଧୋଇ ଯାଇଥିଲା । ଯାହାପରେ ଗଞ୍ଜାମ କନ୍ଧମାଳ ଯାତାୟାତ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଗଲା । ଦୁଇଦିନ ଭିତରେ ଅସ୍ଥାୟୀ ରାସ୍ତା ନିର୍ମାଣ ଆରମ୍ଭ ହେଲା ।

କିନ୍ତୁ ଏହି ସମୟରେ ବାରମ୍ବାର ବର୍ଷା ନିର୍ମାଣ କାର୍ଯ୍ୟରେ ବାଧକ ସାଜିଲା । ପରବର୍ତ୍ତୀ ୨୨ ତାରିଖରେ ପୁଣି ଥରେ ସେହି ସ୍ଥାନରେ ହିଁ ପାହାଡ଼ ଭୁଷୁଡି ପଡିଲା । ଧୋଇ ହୋଇଗଲା ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତା । କଳିଙ୍ଗା ଘାଟି ଭୂସ୍ଖଳନ ହେବାର କିଛିଦିନ ଆଗରୁ ଘାଟି ଅଞ୍ଚଳ ପରିଦର୍ଶନ କରିଥିଲେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ । ଭୂସ୍ଖଳନ ହେବା ଆଶଙ୍କା ରହିଥିବା ନେଇ ଘାଟି ରାସ୍ତା ନିର୍ମାଣ କରୁଥିବା ଇଞ୍ଜିନିୟରମାନଙ୍କୁ ଆଗୁଆ ସତର୍କ କରାଇଥିଲେ । ଏନେଇ କାମ ଠିକ୍ ଠାକ୍ କରିବାକୁ ତାଗିଦ୍ ମଧ୍ୟ କରିଥିଲେ ।

ଆଉ ଶେଷରେ ତାହା ହିଁ ହେଲା । ଏବେ ଉଭୟ ଜିଲ୍ଲାର ଅଞ୍ଚଳବାସୀ ଦେଇଥିବା ସ୍ମାରକରେ ଗଞ୍ଜାମ ଦୁର୍ଗାପ୍ରସାଦ ଠାରୁ କନ୍ଧମାଳ ଭାଲିଙ୍ଗିଆ ପର୍ଯ୍ୟନ୍ତ ବାଇପାସ୍ ରାସ୍ତା ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇଛନ୍ତି ବିଧାୟକ ଶ୍ରୀ ନାୟକ । ଏବେ ଗଞ୍ଜାମ କନ୍ଧମାଳ ଜିଲ୍ଲା ତଥା ଏହାକୁ ଯୋଗାଯୋଗ କରୁଥିବା ୧୦ ରୁ ଉର୍ଦ୍ଧ୍ବ ଜିଲ୍ଲା ପାଇଁ ଲାଇଫ୍ ଲାଇନ୍ ପାଲଟିଥିବା କଳିଙ୍ଗା ଘାଟି ରାସ୍ତା ନିର୍ମାଣ କାର୍ଯ୍ୟର ଯଥାଶୀଘ୍ର ସମାଧାନ ହେବା ଜରୁରୀ ହୋଇପଡିଛି ।

Also read: କଳିଙ୍ଗା ଘାଟିରେ ବାରମ୍ବାର ଭୂସ୍ଖଳନ, ଗାଁ ଲୋକଙ୍କୁ ନ ଯିବାକୁ ବାରଣ କରୁଛି ପୋଲିସ