ମାତିଲେ କାଳିସୀ, ବନ୍ଦ ହୋଇଗଲା ରାସ୍ତା ଉପରେ ଥିବା ମଙ୍ଗଳା ମନ୍ଦିର ଉଚ୍ଛେଦ

ଅନୁଗୁଳ(କେନ୍ୟୁଜ୍): ଲୋକଙ୍କ ଆସ୍ଥା ଓ ଭକ୍ତି କଥା ଉଠିଲେ ପ୍ରଶାସନ ଟିକେ ନିରବ ରହେ । ଠିକ୍ ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ମଙ୍ଗଳା ମନ୍ଦିର ଉଚ୍ଛେଦ କରିବାକୁ ଆସିଥିବା ପ୍ରଶାସନ ଓ ପୁଲିସକୁ ପଛଘୁଂଚା ଦେବାକୁ ପଡ଼ିଛି ।  ଏଭଳି ଘଟଣା ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅଧୀନ କାଣ୍ଡସର ଗାଁରେ ଦେଖିବାକୁ ମିଳିଛି ।

ଏହି ଗାଁର ପ୍ଲଟ ନମ୍ବର ୬୨୫୩କୁ ରାମଚନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି କିଣିଛନ୍ତି । ସେହି ଜାଗାକୁ ଲାଗି ଜାତୀୟ ରାଜପଥ ଓ ପଞ୍ଚାୟତ ରାସ୍ତା ଅଛି । ଯାହାକୁ କି କିଛି ଲୋକ ଅବରୋଧ କରି ରଖିଛନ୍ତି । ରାମଚନ୍ଦ୍ର ସାହୁ ଏନେଇ ଉଚ୍ଚ ନ୍ୟାୟାଳୟର ଦ୍ଵାରସ୍ଥ ହୋଇଥିଲେ । ଯେଉଁ ରାସ୍ତା ଉପରେ ଜବର ଦଖଲ ହୋଇଛି, ସେହି ଜାଗାରେ ପଞ୍ଚାୟତ ରାସ୍ତାକୁ ଲାଗି ମଙ୍ଗଳା ମନ୍ଦିର ଓ ଭୋଗ ଘର ଥିବା ଦର୍ଶାଇ ଉଚ୍ଛେଦକୁ ସମସ୍ତ ପଞ୍ଚାୟତବାସୀ ବି ବିରୋଧ କରିଥିଲେ । ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବଅଁରପାଳ ତହସିଲଦାର ଓ ଅତିରିକ୍ତ ତହସିଲଦାର , ଅନୁଗୁଳ ଏସଡିପିଓ, ନାଲକୋ ଥାନା ଅଧିକାରୀ, ସଦର ଥାନା ଅଧିକାରୀ ଓ ଦୁଇ ପ୍ଲାଟୁନ ଫୋର୍ସ ଆସି ଥିଲେ ଉଚ୍ଛେଉକ୍ତ ମଙ୍ଗଳା ମନ୍ଦିର ଓ ଭୋଗ ଘରକୁ ଉଚ୍ଛେଦ କରିବାକୁ ।

ହେଲେ ଏହି ଉଚ୍ଛେଦ ବେଳେ କିଛି ଭକ୍ତ ଅଭିନବ ପ୍ରତିବାଦ କରିବା ଦେଖିବାକୁ ମିଳିଥିଲା । ଏହି ସମୟରେ ହଠାତ୍ ଲାଗିଗଲେ ମଙ୍ଗଳା । ଆଉ ରାସ୍ତା ଉପରେ ନାଚିବାକୁ ଲାଗିଲେ କାଳେସୀ। ତଳେ ଗଡି ନାଚିଲେ, ପୁଣି ମଝି ରାସ୍ତାରେ ବୁଲିଲେ। ପ୍ରଶାସନ ଜବରଦଖଲ ଉଚ୍ଛେଦ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଜଣେ ପୁରୁଷ ଓ ଦୁଇଜଣ ମହିଳାଙ୍କୁ କାଳିସୀ ଲାଗିଯିବା ପରେ ଘଟଣାସ୍ଥଳରେ ଆସ୍ଥାର ମାହୋଲ ସୃଷ୍ଟି ହେଲା। ଆଉ କିଛି ଭକ୍ତ ଢୋଲ ଓ ଘଣ୍ଟ ବଜାଇ କାଳିସୀଙ୍କୁ ଫୁଲ ସିନ୍ଦୂର ଲଗାଇ, ନୂଆ ଲୁଗା ଗୁଡ଼ାଇ ଆହୁରି ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିଦେଲେ । ସହଜେ ଗୁରୁବାର ତା ସାଙ୍ଗକୁ ଦେବୀଙ୍କ କାଳିସୀ ରୂପ ଦେଖିବାକୁ ଶତାଧିକ ଅଞ୍ଚଳବାସୀ ରୁଣ୍ଢ ହେଲେ । ଆଉ ଜବର ଦଖଲକୁ ବିରୋଧ କଲେ । ଯାହା ଫଳରେ ଜିଲ୍ଲା ପ୍ରଶାସନ ବାଧ୍ୟ ହୋଇ ୧୫ ଦିନର ସମୟ ଦେବା ସହିତ ଉଛେଦ କାର୍ଯ୍ୟକୁ ସ୍ଥଗିତ ରଖିବାକୁ ବାଧ୍ୟ ହେଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.