କୁହୁଡ଼ି ପାଇଁ ଆଜି ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଦିନ ୧୦ଟା ପର୍ଯ୍ୟନ୍ତ ଦେଖା ଯାଉନି ରାସ୍ତା

ଭୁବନେଶ୍ୱର : କଲବଲ କରୁଛି କୁହୁଡ଼ି । କମୁଛି ଶୀତ, ବଢୁଛି କୁହୁଡ଼ି । ଆଜି ପାଇଁ ୧୨ ଜିଲ୍ଲାକୁ ଏବଂ ଆସନ୍ତାକାଲି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଘନ କୁହୁଡ଼ି ପାଇଁ ୫୦ ମିଟର ତଳକୁ ଖସିଆସିଛି ଦୃଶ୍ୟମାନ କ୍ଷମତା । ଯାତାୟତରେ ଅସୁବିଧା ଭୋଗୁଛନ୍ତି ଯାତ୍ରୀ । ଦିନ ୧୦ଟା ପର୍ଯ୍ୟନ୍ତ କୁହୁଡ଼ି ଲାଗୁ ରହୁଛି। ଦୁଇ ଦିନ ପରେ ବଢ଼ିବ ରାତି ତାପମାତ୍ରା । ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବ । ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ପଶ୍ଚିମାଝଡ଼ ଅପସାରଣ ପରେ ବଙ୍ଗୋପସାଗର ପଟୁ ରାଜ୍ୟ ଭିତରକୁ ଉତ୍ତରପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବୃଦ୍ଧି ପାଇଛି । ଏହାଦ୍ବାରା ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ହ୍ରାସ ଘଟିଛି । ଫଳରେ ଅନେକ ସ୍ଥାନରେ ଶୀତ ବଢିଛି । ଶୀତ ସାଙ୍ଗକୁ କୁହୁଡ଼ି ହେଉଛି । ଆସନ୍ତା ୨ଦିନ ଯାଏ ରାଜ୍ୟର ଅଧିକାଂଶ ଅଞ୍ଚଳରେ କୁହୁଡ଼ି ଦେଖାଯିବ।

କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଛି । ଘନ କୁହୁଡି ସମୟରେ ସଂପୃକ୍ତ ଜିଲ୍ଲାର ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଘନ କୁହୁଡି ସହ ଦିନ ଏବଂ ରାତିର ତାପମାତ୍ରା ବୃଦ୍ଧି ହେବ । ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ବିଶେଷ କରି ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡିକରେ ଦିନର ତାପମାତ୍ରା ୩୫ ଡିଗ୍ରୀ ଛୁଇଁପାରେ ।

 

 

ଆହୁରି ପଢନ୍ତୁ : କୁହୁଡି ପାଇଁ ଆଜି୧୧ ଜିଲ୍ଲାକୁ ଆଲର୍ଟ : ଦୁର୍ଘଟଣା ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରଖିବାକୁ ପରାମର୍ଶ