ମାଘ ମାସରେ ଶୀତ ଉଭାନ, ଟ୍ୱିନସିଟିରେ ଘନ କୁହୁଡ଼ି ଆସ୍ତରଣ

ଭୁବନେଶ୍ୱର : ସକାଳୁ ସକାଳୁ କଟକ ଓ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱରରେ ୧୫ ମିଟର ଦୂରକୁ ରାସ୍ତା ଦେଖାଯାଉନାହିଁ । ଫଳରେ ରାସ୍ତାର ଯାତାୟାତରେ ବାଧା ଉପୁଜୁଛି । ୨୭ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଏହି ସମସ୍ତ ଜିଲ୍ଲାଗୁଡ଼ିକ ହେଉଛି ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ସୁନ୍ଦରଗଡ଼, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କନ୍ଧମାଳ ଓ କଳାହାଣ୍ଡି ।
ମାଘ ମାସରେ ହାଡ ଭଙ୍ଗା ଶୀତ ହୋଇଥାଏ । କିନ୍ତୁ ଦୀର୍ଘ ୫୨ ବର୍ଷ ପରେ କୋରାପୁଟରେ ଚଳିତବର୍ଷ ଜାନୁଆରିର ଦିନ ତାପମାତ୍ରା ରେକର୍ଡ ଭାଙ୍ଗିଛି। ଏଠାରେ ସର୍ବୋଚ୍ଚ ତାପମାତ୍ରା ୩୩.୨ ଡିଗ୍ରି ରହିଥିଲା । ମାତ୍ର ଦୁଇ ଦିନ ବ୍ୟବଧାନରେ ରାଜ୍ୟରେ ତାପମାତ୍ରାରେ ୪ରୁ ୫ ଡିଗ୍ରି ବୃଦ୍ଧି ଘଟିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ । ଏହାପରେ ପାରଦ ତଳ ମୁହାଁ ହେବାକୁ ଥିଲେ ମଧ୍ୟ ଶୀତ ଅନୁଭବ ହେବନି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଗୁରୁଚାପ ବଳୟର ପ୍ରଭାବ ଜାରି ରହିଥିବାରୁ ଉତ୍ତର ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଜି ଘନକୁହୁଡ଼ି ହୋଇଛି ।
ଆହୁରି ପଢନ୍ତୁ : ଟ୍ବିନସିଟିରେ ଘନ କୁହୁଡ଼ି ଆସ୍ତରଣ, ଯାନବାହାନ ଚଳାଚଳରେ ବାଧାପ୍ରାପ୍ତ