ଆମେ ସବୁଦିନ ଯାଉଛୁ ତୁମେ ଦିନକ ପାଇଁ ଯାଅ: ବିଭାଗୀୟ ଏସଡିଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ କାଦୁଅ ରାସ୍ତାରେ ଚଲାଇଲେ ଲୋକେ
ଟାଙ୍ଗୀ(କେନ୍ଯୁଜ୍): ଖୋର୍ଦ୍ଧା ଜଳସେଚନ ବିଭାଗର ଅପାରଗତା ଯୋଗୁଁ ଘଟିଛି ଏକ ଅପ୍ରୀତିକର ପରିସ୍ଥିତି। ରାସ୍ତା କାର୍ଯ୍ୟ ସରି ନପାରିବାରୁ ତାତିଲେ ଗ୍ରାମବାସୀ। ବିଭାଗୀୟ ଏସଡିଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ କାଦୁଅ ରାସ୍ତାରେ ଚଲାଇଲେ ଲୋକେ। ଲଗାଣ ବର୍ଷା ଯୋଗୁଁ ମଲାଗୁଣି ନଦୀ ଫୁଲିଉଠିଛି। ମଲାଗୁଣି ପାଣି ଭଗବତୀପଡା ଗାଁ ନିକଟରେ ଘଳିଆ ଫିଟି ପାଣି ଯାଉଛି। ବନ୍ଧ ଉପରେ ବାଲିବସ୍ତା ଦିଆଯାଇଛି। ଗୋଳବାଇ- କଣାସ ରାସ୍ତାକୁ ସଂଯୋଗ କରୁଥିବା ଭଗବତୀପଡା ଏକମାତ୍ର ରାସ୍ତା। ଜଳସେଚନ ବିଭାଗ ପକ୍ଷରୁ ନାଳ ସାଇଟରେ ସିମେଣ୍ଟ କଂକ୍ରିଟ ପାଚେରୀ କାମ ହେଉଥିବା ଯୋଗୁଁ ରାସ୍ତାଟିକୁ ସଂପୂର୍ଣ୍ଣ କାଟାଯାଇ ତା ଉପରେ ଖାଲି ମାଟି ପଡିଥିଲା ରାସ୍ତା କାର୍ଯ୍ୟ ହୋଇନଥିଲା।
ହେଲେ ଲଗାଣ ବର୍ଷା ଯୋଗୁଁ ଉକ୍ତ ରାସ୍ତାରେ ଚାଲିକି ଯିବା ସଂମ୍ଭବ ନୁହେଁ। ଉକ୍ତ ରାସ୍ତାଟି ସଂପୂର୍ଣ୍ଣ ଭାବରେ ପାଣି କାଦୁଅରେ ପରିପୂର୍ଣ୍ଣ। ଏହି ରାସ୍ତା ମରାମତି ପାଇଁ ସ୍ଥାନୀୟ ଭଗବତୀପଡା ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ, ହେଲେ ବିଭାଗୀୟ ଅଧିକାରୀ ରଜ ପୂର୍ବରୁ ସାରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ କାମ ସଂପୂର୍ଣ୍ଣ ହେଲାନି।ଲଗାଣ ବର୍ଷା ଯୋଗୁଁ ମଲାଗୁଣି ନଦୀ ପାଣି ରାସ୍ତା ଉପର ଦେଇ ଯାଉଥିବାରୁ ଆଜି ଜଳସେଚନ ବିଭାଗର ରାଜୁଆ ଡିଭିଜନର ଏସଡିଓ ଓ କନିଷ୍ଠ ଯନ୍ତ୍ରୀ ଉକ୍ତ ସ୍ଥାନକୁ ଯାଇଥିଲେ। ଭଗବତୀପଡା ଗ୍ରାମବାସୀ ରାସ୍ତା କାମ ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରେ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନଥିଲେ।
ରାସ୍ତା କାର୍ଯ୍ୟ ସାରିନଥିବାରୁ ଉତ୍ୟକ୍ତ ଲୋକେ ବିଭାଗୀୟ ଅଧିକାରୀଙ୍କୁ ସେହି କାଦୁଅ ପଚପଚ ରାସ୍ତାରେ ଚଲାଇଥିଲେ। କହିଥିଲେ ଆମେ ସେହି ରାସ୍ତାରେ ସବୁଦିନ ଯାଉଛୁ ତୁମେ ଆଜି ଦିନକ ପାଇଁ ଏହି ରାସ୍ତାରେ ଚାଲ।