ଡାକଘରେ ବଡ଼ଧରଣର ଠକେଇ, ଜମାକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ଗାଏବ ଅଭିଯୋଗ
ଯାଜପୁର : ମୁଣ୍ଡ ଉପରେ ବଢ଼ିଲା ଝିଅର ବାହାଘର ଚିନ୍ତା । ଏଣେ ରୋଗିଣା ମା’ । ଝିଅ ବାହାଘର ପାଇଁ ନିଜ କଷ୍ଟ ଅର୍ଜିତ ଟଙ୍କା ପୋଷ୍ଟ ଅଫିସରେ ରଖିଥିଲି । ହେଲେ ମୋ ଆକାଉଣ୍ଟରୁ ସବୁ ଟଙ୍କା ହଡ଼ପ କରିନେଲେ । ମୋତେ ମୋ ଟଙ୍କା ଫେରାଅ । ଏଭଳି ଅଭିଯୋଗ ଆଣିଛନ୍ତି ଜମାକାରୀ ।
କିଏ ନିଜ ସମ୍ପର୍କିୟଙ୍କ ବାହାଘର ପାଇଁ ଟଙ୍କା ଡିପୋଜିଟ କରିଥିଲେ ତ ଆଉ କିଏ ପିଲାଙ୍କ ପାଠ ପଢ଼ା ପାଇଁ ଟଙ୍କା ଜମା କରିଥିଲେ । ସୁଧ ପାଇବା ଆଶାରେ ପୋଷ୍ଟ ଅଫିସରେ ଅର୍ଥ ଜମା କରିଥିଲେ । କିନ୍ତୁ ସୁଧ ପାଇବା ତ ଦୂରେ ଥାଉ ଓଲଟି ମୂଳ ଧରି କର୍ମଚାରୀ ଫେରାର ହୋଇଯାଇଛନ୍ତି ।
ଯାଜପୁର ମୁଖ୍ୟ ଡାକଘର ଅଧୀନସ୍ଥ ପ୍ରୀତିପୁର ସବ୍ ପୋଷ୍ଟ ଅଫିସ ବଡ଼କୁଆଁଲ ଡାକଘରେ ବଡ଼ଧରଣର ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏହି ଡାକଘରେ ବିଭିନ୍ନ ସ୍କିମରେ ଜମାକାରୀ ଲକ୍ଷ ଲକ୍ଷ ଟଙ୍କା ଜମା କରିଥିବା ବେଳେ ପୋଷ୍ଟମାଷ୍ଟର ଜମାଖାତାରେ ଟଙ୍କା ଜମା କରିନଥିବା ଜଣାପଡିଛି । ଜମାକାରୀଙ୍କୁ ବିଭିନ୍ନ ବାହାନା ଦେଖାଇ ଜମାଖାତା ନେଇ ଏଭଳି ଟଙ୍କା ହଡପ କରାଯାଇଥିବା ଅଭିଯୋଗ କରିଛନ୍ତି ଜମାକାରୀ । ବାରମ୍ବାର ଏ ସଂପର୍କରେ ପୋଷ୍ଟ ଅଫିସରେ ପଚାରିବାରୁ ସଂପୃକ୍ତ ପୋଷ୍ଟ ମାଷ୍ଟର କୋଦଣ୍ଡଧର ବୋଇତେଇ ଫେରାର ହୋଇଯାଇଥିଲେ । ଏବେ ତାଙ୍କ ମୋବାଇଲ ସୁଇଚ୍ ଅଫ୍ । ଅଡିଟ୍ ନାଁରେ ଜମାବହି ନେଇ ଏବେ ଧରାଛୁଆଁ ଦେଉନାହାଁନ୍ତି ପୋଷ୍ଟ ମାଷ୍ଟର ।
ନିଜର କଷ୍ଟ ଅର୍ଜିତ ଧନକୁ ପାଇବା ପାଇଁ ଏବେ ଜମାକାରୀ ମାନେ ଡାକ ବିଭାଗର ବିଭିନ୍ନ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଉଛନ୍ତି ଜମାକାରୀ । ନିଜ ଟଙ୍କା ସୁରକ୍ଷିତ ରହିବା ସହିତ ସୁଧ ମିଳିବା ଆଶାରେ ଟଙ୍କା ଜମା କରିଥିଲେ ଜମାକାରୀ କିନ୍ତୁ ଏବେ ଫଳ ଓଲଟା ହେଲା । ସେପଟେ ଅଭିଯୁକ୍ତ ପୋଷ୍ଟ ମାଷ୍ଟର କିଛି ଦିନ ହେଲା ଫେରାର ହୋଇଯାଇଥିବାରୁ ଏବେ ଜମାକାରୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି । କେବଳ ଏହି ଗୋଟିଏ ଡାକ ଘରୁ ସଂପୃକ୍ତ ପୋଷ୍ଟ ମାଷ୍ଟର ଜଣକ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ କରିନେଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଯାଜପୁର ଉପ ଡାକଘରର ଅଧିକାରୀଙ୍କୁ ପଚାରିବାରୁ ତଦନ୍ତ ଚାଲିଛି ଏବଂ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।