ମିଶନ ଶକ୍ତି ମହିଳାଙ୍କ ଦରମା ତାତି: ‘କାହା କଥାରେ ପଡି ରାସ୍ତାରେ ଗଡନ୍ତୁନି’ କହିଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ନାରାବାଜିରେ କମ୍ପୁଛି ଭୁବନେଶ୍ବର ଲୋୟର ପିଏମଜି । ଭୁବନେଶ୍ବର ଲୋୟର ପିଏମଜିରେ ଦ୍ବିତୀୟ ଦିନ ଆନ୍ଦୋଳନରେ ଜିପିଏଲଏଫ ସଂଘ । ରାଜ୍ୟ ସରକାରଙ୍କ ସହ ଅଲ ଓଡ଼ିଶା ଜିପିଏଲଏଫ ମିଶନଶକ୍ତି କର୍ମୀ ସଂଘର ଆଲୋଚନା ବିଫଳ ପରେ ଭୁବନେଶ୍ବର ଲୋୟର ପିଏମଜିରେ ଆନ୍ଦୋଳନ ଜାରି ରଖିଛି ସଂଘ । ଧାରଣାସ୍ଥଳରେ ବିଜେଡି ସହ ସାମିଲ ହୋଇଛି କଂଗ୍ରେସ । ଏମିତି ସ୍ଥିତିରେ ମହିଳାଙ୍କୁ କେହି ବିଭ୍ରାନ୍ତ କରନ୍ତୁ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମିଶନ ଶକ୍ତି ମହିଳାଙ୍କ ଧାରଣା ପ୍ରସଙ୍ଗରେ ଗତକାଲି ବିଧାନସଭାରେ ଚର୍ଚ୍ଚା ହୋଇଛି । କାହା କଥାରେ ପଡ଼ି ରାସ୍ତାରେ ଗଡ଼ିବାର ଆବଶ୍ୟକତା ନାହିଁ । ମହିଳାଙ୍କ ସ୍ବାର୍ଥ ପାଇଁ ଯାହା ଉଚିତ୍ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା ।
ସୂଚନା ଅନୁସାରେ ଗତକାଲିଠୁ ଲୋୟର ପିଏମଜିରେ ୯ ମାସର ବକେୟା ଦରମା ସମେତ ୧୦ ଦଫା ଦାବିରେ ମିଶନ ଶକ୍ତି ୬ଟି କ୍ୟାଡରରେ କାମ କରୁଥିବା କମ୍ୟୁନିଟି ସପୋର୍ଟ ଷ୍ଟାଫ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଆନ୍ଦୋଳନରେ MBK, ବ୍ୟାଙ୍କ୍ ମିତ୍ର,LSP, CRP, କୃଷି ମିତ୍ର ଓ ପ୍ରାଣୀ ମିତ୍ର ସାମିଲ ଅଛନ୍ତି । ସଂଘ କହିଛି ବାରମ୍ବାର ଅଭିଯୋଗ ପରେ ମଧ୍ୟ ସରକାର ଦାବି ଶୁଣୁନାହାନ୍ତି । ଯଦି ଶୀଘ୍ର ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ ଓଡ଼ିଶାରେ ଥିବା ମିଶନ ଶକ୍ତିର ୬୦ ହଜାର କର୍ମୀ ଆନ୍ଦୋଳନରେ ସାମିଲ ହେବେ ବୋଲି ଚେତାବନୀ ଦେଇଛି ସଂଘ । ବିଜେଡି ବିଧାୟକମାନେ ଲୋୟର ପିଏମଜିରେ ପହଞ୍ଚି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ।