ବନ୍ଧା ହେଲେ ତାଳଚେର ଖଣି ଉପ ନିର୍ଦ୍ଦେଶକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ

ତାଳଚେର: ବନ୍ଧା ହେଲେ ଧରଣୀ ଧର ନାୟକ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଳଚେର ଖଣି ଉପ ନିର୍ଦ୍ଦେଶକ ଧରଣୀଧର ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଚଢଉ କରିଥିଲା ଭିଜିଲାନ୍ସ । ଭୁବନେଶ୍ବର, ଅନୁଗୁଳ ଓ ତାଳଚେରେ ହୋଇଛି ରେଡ୍ । ଅଳ୍ପ ଦିନର ଚାକିରିରେ ଅର୍ଜି ଥିବା ସଂପତ୍ତି ତଦନ୍ତକାରୀ ସଂସ୍ଥାକୁ ଚକିତ କରିଛି ।
ଭୁବନେଶ୍ବର ପଟିଆ ଶିଶୁବିହାରରେ ରହିଛି ଏକ ଥ୍ରୀବିଏଚକେ ଫ୍ଲାଟ । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି ୩୦ଲକ୍ଷ ଟଙ୍କା । ସୁନ୍ଦରପଦାରେ ୧୮ଶହ ବର୍ଗଫୁଟର ଡୁପ୍ଲେକ୍ସ ରହିଛି । କେନ୍ଦୁଝର ଜିଲ୍ଲା ତେଲକୋଇର ଜଗମୋହନପୁର ଏକ ଦ୍ବିମହଲା ମାର୍କେଟ ବିଲ୍ ଡିଂ ରହିଛି । ସେଥିରେ ରହିଛି ୧୫ ଦୋକାନ ଘର। ପୈତୃକ ଘର ତେଲକୋଇରେ ରହିଛି ଏକ କୋଠା । ଭୁବନେଶ୍ବରର ପ୍ରାଇମ ଲୋକେସନରେ ୨ଟି ପ୍ଲଟ ରହିିଥିବା ବେଳେ ତେଲକୋଇରେ ରହିଛି ୭ଟି ପ୍ଲଟ । ସମସ୍ତ ଫ୍ଲାଟ, କୋଠା ଓ ପ୍ଲଟର ଆକଳନ ଚାଲଛି। ଧରଣୀଧରଙ୍କ ପଟିଆ ଓ ତାଳଚେର ଘରୁ ମୋଟ ୯ଲକ୍ଷ ୮୩ଲକ୍ଷ ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ । ସେତିକି ନୁହେଁ ବାବୁଙ୍କର୍ ବ୍ୟାଙ୍କ୍ ଜମା ୧୦ ଲକ୍ଷ ଟଙ୍କା ଥିବା ବେଳେ ୧୬ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ ରହିଛି ।
ସବୁଠୁ ଆଶ୍ଚର୍ଯ୍ୟର କଥା ବାବୁ ଏତେ କଳା ଟଙ୍କା ରୋଜଗାର କରିଛନ୍ତି ଯେ ୨୦ ବର୍ଷରେ ଶୁଝିବା ପାଇଁ ଆଣିଥିବା ୧ କୋଟି ୧୩ ଲକ୍ଷ ଟଙ୍କାକୁ ମାତ୍ର ୨ ବର୍ଷରେ ଶୁଝି ଦେଇଛନ୍ତି, ଯାହାକୁ ଜାଣିବା ପରେ ଭିଜିଲାନ୍ସ ଟିମ୍ ମଧ୍ୟ ତାଜୁବ ହୋଇଯାଇଛି। ଭୁବନେଶ୍ୱର ଘରକୁ ଛାଡ଼ିଦେଲେ ତାଳଚେର ଘରୁ ମଧ୍ୟ ମିଳିଛି ପୁଳା ପୁଳା ଟଙ୍କା।