ଶିମିଳିପାଳ ଅଞ୍ଚରୁ ଦେଶୀ ବନ୍ଧୁକ ସହିତ ଜଣେ ଗିରଫ

କରଞ୍ଜିଆ(କେନ୍ୟୁଜ) : ଆଜି କରଞ୍ଜିଆ ପୋଲିସ ଓ ବନ କର୍ମଚାରୀଙ୍କ ଦ୍ୱାରା ମିଳିତ ଚଢ଼ାଉ କରାଯାଇ ବେଆଇନ ବନ୍ଧୁକ ସହ ଜଣେ ବ୍ୟକ୍ତିକୁ ଗରିଫ କରାଯାଇଛି । ଗିରଫ ବ୍ୟକ୍ତି ହେଲେ ଧରସୁ ପିଙ୍ଗୁଆ । ବେଆଇନ ବନ୍ଧୁକ ସହ ଗାଁରେ ଶିକାରୀ ଥିବା ସୂଚନା ପାଇ ଉପଖଣ୍ଡ ପୋଲିସ ଅଧିକାରୀଙ୍କ ସହାୟତା ଲୋଡିଥିଲା କରଂଜିଆ ବନବିଭାଗ । ଯାହାକୁ ନେଇ ଆଜି ଭୋରରୁ ଉପଖଣ୍ଡ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ କରଞ୍ଜିଆ ପୋଲିସ ଓ କରଞ୍ଜିଆ ବନ କର୍ମଚାରୀଙ୍କ ସାନ ରାମଚନ୍ଦ୍ରପୁର ଗାଁରେ ମିଳିତ ଚଢ଼ାଉ କରାଯାଇଥିଲା ।
ଧ୍ରୁସୁ ପିଙ୍ଗୁଆ ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇ ତା ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ସହ ୫ଟି ଦେଶୀ ବାରୁଦ ଗୋଳା ଜବତ କରାଯାଇଥିବା ଜଣାଯାଇଛି। ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବ୍ୟକ୍ତି ଜଣକ କିନ୍ତୁ ଏହି ଚଢ଼ାଉ ବେଳେ ମିଳିତ ଟିମକୁ ଚକମା ଦେଇ ଘଟଣା ସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିବା ନେଇ ସୂଚନା ଦେଇଛନ୍ତି କରଞ୍ଜିଆ ସହକାରୀ ବନ ସଂଗ୍ରକ୍ଷକ ଓ ଉପଖଣ୍ଡ ପୋଲିସ ଅଧିକାରୀ ।
ସେହିପରି ଫେରାର ହୋଇଥିବା ବ୍ୟକ୍ତି ଜଣକର ସମ୍ପୂର୍ଣ୍ଣ ପରିଚୟ ମିଳିନଥିବା ବେଳେ,କେବଳ ଏକ ଫଟୋ ଜାରି କରିଛି ବନ ବିଭାଗ । ଗିରଫ ହୋଇଥିବା ବ୍ୟକ୍ତି ଉକ୍ତ ଫେରାର ହୋଇଥିବା ବ୍ୟକ୍ତିକୁ ଘରେ ଆଶ୍ରୟ ଦେଇଥିବା କହିଛି ବନ ବିଭାଗ।