ଚିଲିକାକୁ ମହାବିପଦ, ରାଜହଂସ ଦ୍ୱୀପରେ ଫସିଥିବା ମାଲେସିଆ ଜାହଜରୁ ତେଲ୍ ଲିକ୍ ଆଶଙ୍କା, ରାଜ୍ୟ ସରକାରଙ୍କୁ ଚିଠି ଲେଖିଲା କୋଷ୍ଟଗାର୍ଡ
ଚିଲିକା ପ୍ରତି ବିପଦ। କେବଳ ଚିଲିକା ନୁହେଁ, ଓଡିଶା ଉପକୂଳ ପ୍ରତି ବିପଦ ରହିଛି। ଚିଲିକା ନିକଟ ରାଜହଂସ ଦ୍ୱୀପରେ ଫସିରହିଛି, ମାଲେସିଆ ଜାହଜ ଟଗ ଜିନ୍ ହୁୱା ୩୨। ଏହି ଜାହାଜ ଓଡ଼ିଶା ଉପକୂଳ ପ୍ରଦୂଷିତ କରିପାରେ। ଏ ଆଶଙ୍କା କରି ରାଜ୍ୟ ସରକାରଙ୍କ ଚିଠି ଲେଖିଛି କୋଷ୍ଟଗାର୍ଡ। କୁହାଯାଇଛି, ଜାହାଜରୁ ତେଲ ନିର୍ଗତ ହେଲେ ଚିଲିକାର ଜୈବ ବିବଧତା ପ୍ରତି ବିପଦ ସୃଷ୍ଟି କରିବ। ଚିଲିକା ପ୍ରଦୂଷିତ ହେବା ପୂର୍ବରୁ ଏନେଇ ପଦକ୍ଷେପ ନିଆଯାଉ। ବିଶେଷଜ୍ଞଙ୍କ ଦ୍ୱାରା ଜାହାଜରୁ ଏହି ତେଲ ନିଷ୍କାସନ କରାଯାଉ। ଜାହାଜରେ ୩୦ ହଜାର ଲିଟର ଡିଜେଲ ରହିଛି। ଏହାସହ ୧ ହଜାର ଲିଟର ଲ୍ୟୁବ୍ ଅଏଲ ଏବଂ ୨ ଶହ ଲିଟର ହାଇଡ୍ରୋଲିକ ତେଲ ରହିଛି।
ଅଗଷ୍ଟ ୭ ତାରିଖରୁ ଜାହାଜଟି ଚିଲିକା କୂଳରେ ଲାଗିଛି। ଜାହାଜ ସଂପର୍କରେ ତଦନ୍ତ କରୁଛି କୋଷ୍ଟଗାର୍ଡ ଓ ନୌସେନା। ଉପକୂଳ ନିରାପତ୍ତା ଦୃଷ୍ଟିରୁ କୋଷ୍ଟଗାର୍ଡର ଏକ ଟିମ୍ ଏହା ଉପରେ ନଜର ରଖିଛନ୍ତି। ଜାହାଜରେ ଆସିଥିବା ୮ଜଣ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି। ରବିବାର ଦିନ ନୌସେନାର ୪ଜଣ ଅଧିକାରୀ ଜାହାଜକୁ ଯାଞ୍ଚ କରିବା ସହ କେଉଁ ପରିସ୍ଥିତିରେ ଜାହାଜ ସେଠାରେ ପହଞ୍ଚିଲା ତାର ତଦନ୍ତ କରିଥିଲେ।