ଜିଲ୍ଲା ଗସ୍ତରେ ଯିବେ ସଚିବ ଓ ବରିଷ୍ଠ ଅଧିକାରୀ, ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ

ଜିଲ୍ଲା ଗସ୍ତରେ ଯିବେ ସଚିବ ଓ ବରିଷ୍ଠ ଅଧିକାରୀ । ଜିଲ୍ଲା ଗସ୍ତ ନେଇ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ। ସଚିବମାନଙ୍କୁ ଗୋଟିଏ ଲେଖାଏଁ ଜିଲ୍ଲା ଆବଣ୍ଟନ କରାଯାଇଛି ।  ଏହି ଆବଣ୍ଟିତ ଜିଲ୍ଲା ପ୍ରତି ୩ ମାସରେ ପରିବର୍ତ୍ତନ କରାଯିବ । ସମ୍ପୃକ୍ତ ଅଧିକାରୀମାନେ ସେମାନଙ୍କର ଦାୟିତ୍ବରେ ଥିବା ଜିଲ୍ଲାକୁ ପରିଦର୍ଶନ କରିବା ପାଇଁ ୨ରୁ ୩ ଦିନର ଯୋଜନା ପ୍ରସ୍ତୁତ କରିବେ । ଏହି ଗସ୍ତ ସମୟରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ତଦାରଖ କରିବେ ।  ଅଧିକାରୀମାନେ ଜିଲ୍ଲାର ଯେ କୌଣସି ସ୍ଥାନକୁ ନିଜ ଇଛାରେ ପରିଦର୍ଶନ ପାଇଁ ଚିହ୍ନଟ କରିବେ ।

ଚିହ୍ନଟ ସ୍ଥାନ ମଧ୍ୟରେ ଅପହଞ୍ଚ ଓ ଆଦିବାସୀ ବହୁଳ ଅଞ୍ଚଳ ରହିଥିବ। ଗସ୍ତ ସମୟରେ ସେମାନେ କୌଣସି ଗୋଟିଏ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିବେ ।  ଦିନକୁ ଅତି କମରେ ଥରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଛାତ୍ରାବାସ କିମ୍ବା ସ୍କୁଲରେ ମଧ୍ୟାହ୍ନ ଭୋଜନରେ କିମ୍ବା ଆହାର କେନ୍ଦ୍ରରେ ଅଥବା ଏକ ଅନାଥ ଆଶ୍ରମରେ ଭୋଜନ କରି ଖାଦ୍ୟର ଗୁଣାବତ୍ତା ଓ ପରିବେଶ ପରିସ୍ଥିତି ଉପରେ ଦୃଷ୍ଟି ଦେବେ ।  ସମସ୍ତ ଜିଲ୍ଲାକୁ ଗସ୍ତ କରିବେ ସଚିବ ।  ଅବଣ୍ଟନ ଅନୁଯାୟୀ ଗୃହ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଜଗତସିଂହପୁର ଗସ୍ତ କରିବେ।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ଅନୁଗୁଳ ଜିଲ୍ଲା ଗସ୍ତ କରିବେ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥିଭାଥନନ କେନ୍ଦ୍ରାପଡ଼ା ଯିବେ । ଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କେନ୍ଦୁଝର ଗସ୍ତ କରିବେ । ସେହିଭଳି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମାଲକାନଗିରି ଜିଲ୍ଲା ଗସ୍ତରେ ଯିବେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଯିବେ । ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର ବରଗଡ଼ ଗସ୍ତରେ ଯିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.