ମହାପ୍ରଭୁଙ୍କ ବାହୁଡାଯାତ୍ରାରେ ପହଣ୍ଡି କରୁ କରୁ ଚାଲିଗଲା ଭକ୍ତଙ୍କ ଜୀବନ

କଣ୍ଟାମାଳ: ଲାଗିଥିଲା ଗହଳି ଚହଳି । ଜୟ ଜଗନ୍ନାଥ ଧ୍ୱନୀରେ କମ୍ପୁଥିଲା ସାରା ପରିବେଶ । ହେଲେ ଏତେ କୋଳାହଳ ଭିତରେ ଛାଇଗଲା ଅନ୍ଧକାର । କିଏ ଜାଣିଥିଲା ଜଗାର ଭକ୍ତ ସହିତ ଘଟିଯିବ ଏମିତି କିଛି । ସେ ଥିଲେ ଜଗନ୍ନାଥଙ୍କର ପରମ ଭକ୍ତ । ମହାପ୍ରଭୁଙ୍କ କାର୍ଯ୍ୟକ୍ରମ ହେଲେ ସେ ନିଜକୁ ସମ୍ଭାଳି ପାରୁନଥିଲେ । ବିଶେଷକରି ରଥଯାତ୍ରା ହେଉ କି ବାହୁଡାଯାତ୍ରା ସେଦିନ ତମାମ ମହାପ୍ରଭୁଙ୍କ ଯାତ୍ରାରେ ସାମିଲ ହୋଇ ମହାପ୍ରଭୁଙ୍କ ସେବା କରୁଥିଲେ ।

ଆଉ ଏମିତି ମହାପ୍ରଭୁଙ୍କ ସେବା କରୁ କରୁ କେତବେଳେ ସେ ଆରପାରିକୁ ଚାଲିଗଲେ ଜାଣିପାରିଲେ ନାହିଁ । ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ପଲସାଗୋରାରେ । ଗତକାଲି ଥିଲା ମହାପ୍ରଭୁଙ୍କର ବାହୁଡା ଯାତ୍ରା । ଏହି ଅବସରରେ ସମସ୍ତଙ୍କ ଭିତରେ ଥିଲା ଆନନ୍ଦ ଓ ଉତ୍ସାହର ମାହୋଲ । କଣ୍ଟାମାଳ ବ୍ଲକ ଅନ୍ତର୍ଗତ ରୁଣ୍ଡିମହୁଲ ପଂଚାୟତ ବରପଦର ଗାଁର ଜୟନ୍ଦ୍ର ନନ୍ଦ ସବୁ ବର୍ଷ ପରି ଚଳିତ ବର୍ଷ ବି ମହାପ୍ରଭୁଙ୍କ ସେବାରେ ନିୟୋଜିତ ଥିଲେ । ହେଲେ କଥାରେ ଅଛି ମୃତ୍ୟୁ ଯେତେବେଳେ ଆସେ ନା ଦେଖେ ସମୟ ନା ଦେଖେ ମଣିଷ । ସମ୍ପୂର୍ଣ୍ଣ ସୁସ୍ଥ ଥିବା ମଣିଷକୁ ବି ସେ ନିଜ ସାଥୀରେ ନେଇଯାଏ । ଠିକ୍ ସେମିତି ମହାପ୍ରଭୁଙ୍କ ବାହୁଡାଯାତ୍ରାରେ ପହଣ୍ଡି କରୁଥିବା ସମୟରେ ସବୁଦିନ ପାଇଁ ଏ ଦୁନିଆଁ ଛାଡି ବାହୁଡି ଯାଇଥିଲେ ଜୟନ୍ଦ୍ର ।

ତେବେ ଯାହା ସୂଚନା ମିଳିଛି କି, ଗତକାଲି ସଂଧ୍ୟାରେ ପଲସାଗୋରାଠାରେ ଚାଲିଥିବା ବାହୁଡାଯାତ୍ରାରେ ଜୟନ୍ଦ୍ର ସାମିଲ ହୋଇ ପହଣ୍ଡି କରୁଥିଲେ । ସେହି ସମୟରେ ହଠାତ ସେ ଅଚେତ ହୋଇପଡିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ଦୁଃକର ବିଷୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏପଟେ ଜୟନ୍ଦ୍ରଙ୍କ ଏଭଳି ବିୟୋଗରେ ପୁରା ଅଂଚଳରେ ଖେଳିଯାଇଛି ଶୋକର ଛାୟା ।

 

You might also like