ବାତ୍ୟାର ତାଣ୍ଡବକୁ ରୋକିଲା ଧବଳ ବାନା, ଶୂନ୍ୟ ଗଣ୍ଠି ପକାଇ ମହାପ୍ରଭୁ ଦେଖାଇଲେ ଚମତ୍କାର

ପୁରୀ : କୋଟି ଓଡ଼ିଆ ମଉଡମଣି ପ୍ରଭୁ ଶ୍ରୀ ଜଗନ୍ନାଥ । ସମଗ୍ର ବ୍ରହ୍ମାଣ୍ଡର ସେ ଠାକୁର । କାହିଁ ଅନନ୍ତ କାଳରୁ ପ୍ରଭୁ ପୂଜା ପାଉଛନ୍ତି ଆମ ଓଡିଶା ମାଟିର ପୁରୀ ଧାମରେ । ସମଗ୍ର ଜାତି, ଧର୍ମ, ଓ ବର୍ଣ୍ଣ ନିର୍ବିଶେଷରେ ପ୍ରଭୁ ଶ୍ରୀ ଜଗନ୍ନାଥ, ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ରତ୍ନ ସିଂହାସନ ଉପରେ ବିଜେ କରି ତାଙ୍କ ଭକ୍ତ ମାନଙ୍କର ସମସ୍ତ ଦୁଃଖ ଓ କଷ୍ଟ ହରଣ କରିବା ସହ ଆଶିଷ ପ୍ରଦାନ କରିଆସୁଅଛନ୍ତି ।
ଯେମିତି ବଡ ତାଙ୍କର ହୃଦୟ ସେମିତି, ବଡ ତାଙ୍କ ଦେଉଳ, ବଡ ତାଙ୍କର ଦାଣ୍ଡ, ଆଉ ବଡ ତାଙ୍କର ବାନା । ସେଇ ବଡ ଠାକୁର, ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ଅନୁଗ୍ରହରେ, ତାଙ୍କ ଅନନ୍ୟ ମହିମାରେ ସୁଗନ୍ଧ ଏଇ ସମଗ୍ର ବିଶ୍ୱ ଜଗତ । ତେବେ କୁହାଯାଏ ଭକତ ଭାବରେ ବନ୍ଧା ପ୍ରଭୁ ଜଗନ୍ନାଥ । ସବୁବେଳେ ଶ୍ରଦ୍ଧାଳୁଙ୍କ ଲାଗି ସେ ନିଜର ବାହା ମେଳାଇ ବସିଥାନ୍ତି । ଯେତେବେଳେ ଏଇ ବ୍ରହ୍ମାଣ୍ଡକୁ ବିପଦ ମାଡିଆସେ ସେତେବେଳେ ସୁରକ୍ଷା କବଚ ପାଲଟିଥାନ୍ତି ଜଗତର ନାଥ ଜଗନ୍ନାଥ । ନୀଳ ଆକାଶ ତଳେ ନୀଳଚକ୍ରରେ ଫର ଫର ଉଡୁଥିବା ତାଙ୍କ ବାନା । ଯାହାର ନା ପତିତପାବନ ବାନା । ନୀଳଚକ୍ରରେ ବନ୍ଧାହୋଇଥିବା ବଡ ବାନାର ନାଁ ପତିତପାବନ ବାନା ଆଉ ତାର ଶୋଭା ବଢାନ୍ତି ଏକାଧିକ ଛୋଟଛୋଟ ବାନା । ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କର ବାନା ସବୁବେଳେ ପ୍ରସ୍ତୁତ ହୋଇ ରହିଥାଏ ।
ଯାହାର ପୁଣି ଏକ ଉଦାହରଣ ସାମ୍ନାକୁ ଆସିଛି । ପୁରୀ ଶ୍ରୀମନ୍ଦିର ପତିତପାବନ ବାନାରେ ପଡିଲା ଶୂନ୍ୟ ଗଣ୍ଠି । ଜଗତ କଲ୍ୟାଣ ନିମନ୍ତେ ବାନା ସଦୃଶ ଚକ୍ରକୁ ନିକ୍ଷେପ କରି ସର୍ବ ବାଧା ବିଘ୍ନରୁ ଉଦ୍ଧାର ପାଇଁ ପ୍ରତିଶୃତି ଦେଇଛନ୍ତି କାଳିଆ ସାଆନ୍ତ । ତେବେ ବାତ୍ୟା ଦାନାକୁ ନେଇ ଅନେକ ଖବର ସାମ୍ନାକୁ ଆସୁଥିଲା । ସମୁଦ୍ରରୁ ବଳ ଗୋଟାଇ ମାଡ଼ି ଆସିଥିଲା ଭୀଷଣ ବାତ୍ୟା ଦାନା । କଣ ଯେ କ୍ଷତି କରିବ ତାକୁ ନେଇ ଆଶଙ୍କା ଭିତରେ ଥିଲେ ସମଗ୍ର ଓଡିଶାବାସୀ । ହେଲେ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଯେଉଁଠି ଅଛନ୍ତି ସେଇଠି ବା କିଏ କଣ କ୍ଷତି କରିପାରିବ ।
ଭୀଷଣ ବାତ୍ୟା ଦାନାଠାରୁ ଓଡ଼ିଶାବାସୀଙ୍କୁ ସୁରକ୍ଷିତ ରଖିବାର କାମନା କରି ଶ୍ରୀମନ୍ଦିରରେ ଉଡିଥିଲା ଧବଳ ବାନା । ବାତ୍ୟାକୁ ଦୁର୍ବଳ କରିବା ପାଇଁ ବଡ଼ ଠାକୁରଙ୍କ ପାଖରେ ପ୍ରାର୍ଥନା ଏବଂ ଆଳତି ମଧ୍ୟ କରାଯାଇଥିଲା । ବାତ୍ୟା ପୂର୍ବରୁ ଶ୍ରୀ ମନ୍ଦିର ନୀଳାଚକ୍ର ଉପରେ ଧଳା ବାନା ବନ୍ଧାଯାଇଥିଲା । ଯାହାକି ସମ୍ପୂର୍ଣ୍ଣ ବାତ୍ୟା ଦାନାକୁ ଶାନ୍ତ କରିଦେଇଥିବା ଭଳି ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି । ଧଳା ବାନାରେ ଶୂନ୍ୟ ଗଣ୍ଠି ପଡି ବିପଦକୁ ହରଣ କରି ଜଗତକୁ ଉଦ୍ଧାର କରିଛନ୍ତି ମହାପ୍ରଭୁ । ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରି ଧିରେ ଧିରେ ଦୁର୍ବଳ ହୋଇଛି ।
ଜଗତରନାଥ ଜଗନ୍ନାଥଙ୍କ ଲୀଳା ଅପାର । ଭକ୍ତର ଡୋରିରେ ବନ୍ଧା ପରଂବ୍ରହ୍ମ ଶ୍ରୀଜଗନ୍ନାଥ । ଭକ୍ତଙ୍କ ପାଇଁ ଜଗତଠାକୁର ଦେଖାଇଛନ୍ତି ବିରାଟ ଚମତ୍କାର । ବାନାରେ ଶୂନ୍ୟ ଗଣ୍ଠି ପକାଇ ପତିତମାନଙ୍କୁ ଉଦ୍ଦଶର କରିଛନ୍ତି କୋଟି ଓଡ଼ିଆ ମଉଡମଣି ପ୍ରଭୁ ଶ୍ରୀ ଜଗନ୍ନାଥ ।