ଆଜି ସ୍ନାନପୂର୍ଣ୍ଣମୀରେ ବର୍ଷାରେ ଭିଜିଲେ ଭକ୍ତ, ଛେରାପହଁରା ପରେ ଦର୍ଶନ କଲେ ଦୁର୍ଲ୍ଲଭ ହାତୀ ବେଶ

ପୁରୀ : ମହାପ୍ରଭୁଙ୍କ ଅପାର କରୁଣା । ଆଜି ସ୍ନାନପୂର୍ଣ୍ଣମୀରେ ବର୍ଷାରେ ଭିଜିଲେ ଭକ୍ତ । ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବେଳେ ଝିପି ଝିପି ଓ କାଳିଆ ସାଆନ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବେଳେ ପ୍ରବଳ ବର୍ଷା ହୋଇଥିଲା ।ବର୍ଷାରେ ଭିଜି ମହାପ୍ରଭୁଙ୍କ ଜଳଲାଗି ଓ ଦୁର୍ଲ୍ଲଭ ହାତୀ ବେଶ ଦର୍ଶନ କରିଥିଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ । କେତେବେଳେ ଝିପି ଝିପି ବର୍ଷା ,ପୁଣି ପ୍ରବଳ ଖରା ଓ ଗୁଳୁଗୁଳି ,ତାପରେ ପୁଣି ବର୍ଷା । ବର୍ଷା ପରେ ପୁଣି ଖରା ।

ଏହାସତ୍ତ୍ୱେ ଲୋକାରଣ୍ୟ ହୋଇଥିଲା ବଡ଼ଦାଣ୍ଡ ।  ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୫.୧୦ରେ ମଙ୍ଗଳାର୍ପଣ , ୫.୧୫ ରେ ଡୋରି ଲାଗି, ପୁଷ୍ପାଞ୍ଜଳି ହୋଇ ୫.୨୦ ରେ ପହଣ୍ଡି ଆରମ୍ଭ ହୋଇଥିଲା । ଧାଡି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନମଣ୍ଡପରେ ବିରାଜିତ ହୋଇଥିଲେ ।  ଲକ୍ଷାଧିକ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହୋଇଥିଲା ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣମୀ ତଥା ଜଗତର ନାଥ ଜଗନ୍ନାଥଙ୍କ ଜନ୍ମ ତିଥି। ଏଥିସହ ଦୁର୍ଲ୍ଲଭ ହାତୀବେଶରେ ପ୍ରଭୁଙ୍କ ଦର୍ଶନ କରିଛନ୍ତି ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁ । ଭକ୍ତଙ୍କ ଗହଳି, ଟାଣ ଖରା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା ।
ଜ୍ୟେଷ୍ଠ ପୂର୍ଣ୍ଣମୀ ବା ନିଜ ଜନ୍ମତିଥିରେ ରତ୍ନବେଦୀରୁ ଓହ୍ଲାଇ ଆସି ସ୍ନାନବେଦିରୁ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି।  ମଦନମୋହନ ବିଜେ, ଜଳଲାଗି ପୂଜା ପରେ ସରିଥିଲା ଜଳଲାଗି। ଶ୍ରୀଜଗନ୍ନାଥଙ୍କୁ ୩୫ଗରା,ଶ୍ରୀବଳଭଦ୍ରଙ୍କୁ ୩୩ଗରା, ଦେବୀ ସୁଭଦ୍ରାଙ୍କୁ ୨୨ଗରା ଏବଂ ସୁଦର୍ଶନଙ୍କୁ ୧୮ ଗରା ଜଳରେ ସ୍ନାନ କରାଯାଇଥିଲା। ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ହେଉଛି ଆଦ୍ୟ ଯାତ୍ରା ହୋଇଥିବା ବେଳେ,ଏହାକୁ ଦେଖିବା ପାଇଁ ସମ୍ପୁର୍ଣ୍ଣ ଶ୍ରୀକ୍ଷେତ୍ର ହୋଇଉଠିଛି ଲୋକାରଣ୍ୟ ।

ଆସନ୍ତା କାଲି ଠାରୁ ୧୩ ଦିନ ଧରି ଚତୁର୍ଦ୍ଧାମୂରତି ଜ୍ୱର ରୋଗରେ ପୀଡିତ ହେବେ | ଏହି ସମୟରେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ ନ ପାଇଁ ପଟିଦିଅକୁ ଦର୍ଶନ କରି କୃତାର୍ଥ ଲାଭ କରିବେ ମହାପ୍ରଭୁଙ୍କ ବଦଳରେ ଆସନ୍ତାକାଲି ଠାରୁ ୧୩ ଦିନ ଧରି ବ୍ରହ୍ମଗିରି ସ୍ଥିତ ଅଲାରନାଥ ଦେବଙ୍କୁ ଦର୍ଶନ କଲେ ସମ ପରିମାଣର ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଥିବାରୁ ଅଲାରନାଥ ମନ୍ଦିର ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି

 

You might also like