ବିମାନ ବନ୍ଦର ଚାରିପାଖ ସ୍ୱଚ୍ଛ ନୁହେଁ, ବଢୁଛି ବାର୍ଡ ହିଟିଂ ଚିନ୍ତା

ଭୁବନେଶ୍ୱର (କେନ୍ୟୁଜ୍) : ବିମାନ ବନ୍ଦର ଚତୁର୍ପାର୍ଶ୍ଵରେ ସୁରକ୍ଷା ବ୍ୟବସ୍ଥା କୁ ନେଇ ଡିଜିସିଏର ବଢ଼ିଲା ଚିନ୍ତା। ବାର୍ଡ ହିଟିଂ ନେଇ ବିମାନ ବନ୍ଦର ଆଖପାଖ କାର୍ଯ୍ୟକଳାପ ଉପରେ ନଜର ଦେବାକୁ ଡିଜିସିଏଙ୍କ ନିର୍ଦ୍ଦେଶ। ଚିଠି ଲେଖି ଦେଶର ସମସ୍ତ ବିମାନ ବନ୍ଦରକୁ ସତର୍କ ରହିବାକୁ କହିଛି। ମୌସୁମୀ ସମୟରେ ବିମାନ ବନ୍ଦର ଭିତର ଓ ବାହାର ସଫେଇ ନେଇ ଜାରି କଲେ ସ୍ୱତନ୍ତ୍ର ଗାଇଡ୍ଲାଇନ। ସ୍ଥାନୀୟ ପ୍ରଶାସନ ସାହାଯ୍ୟରେ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ। ବିଏମ୍ସି କହୁଛି ନିୟମିତ ଚାଲିଛି ସଫେଇ କାମ ହେଲେ ଅବସ୍ଥା କହୁଛି ଅନ୍ୟ କିଛି।
ପାଟନା ବିମାନ ବନ୍ଦରରେ ବିମାନରେ ନିଆଁ ଲାଗିବା ଘଟଣା ପରେ ଚେତିଛି କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ବିଭାଗ। ମୌସୁମୀ ସମୟରେ ପରିମଳ ବ୍ୟବସ୍ଥା ଓ ବାର୍ଡ ହିଟିଂ ଉପରେ ଗୁରୁତ୍ୱ ଦେଇ ସମସ୍ତ ବିମାନ ବନ୍ଦର ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ମୌସୁମୀ ବା ବର୍ଷା ସମୟରେ ସାଧାରଣତଃ ବିମାନ ବନ୍ଦର ଚତୁଃପାର୍ଶ୍ୱରେ ଅଳିଆ ଆବର୍ଜନା ଜମା ହୁଏ । ଯାହା ଫଳରେ ପକ୍ଷୀଙ୍କ ଉପଦ୍ରବ ବଢେ। ଆଉ ବିମାନ ଉଡାଣ ସମୟରେ ସମସ୍ୟା ସୃଷ୍ଟି କରେ। ତେଣୁ ବିମାନ ବନ୍ଦର ଚାରି ପାଖକୁ ସଫା ରଖିବା ନେଇ ଡିଜିସିଏ ସ୍ୱତନ୍ତ୍ର ଗାଇଡ୍ଲାଇନ ଜାରି କରିଛନ୍ତି।
ବିମାନ ବନ୍ଦର ଭିତରେ ଘାସ କାଟିବା, ପାଣି ଜମା ହେବାକୁ ନଦେବା, ରନ୍ୱେ ପରିଦର୍ଶନ ଓ ପକ୍ଷୀ ଧରାଳିମାନଙ୍କୁ ସ୍ଥାନାନ୍ତର କରିବା ପାଇଁ କୁହାଯାଇଛି। ସେହିଭଳି ସ୍ଥାନୀୟ ପ୍ରଶାସନ ଦ୍ୱାରା ବିମାନ ବନ୍ଦର ବାହାରେ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ରହିଛି। ତେବେ ବିଏମ୍ସି ସହାୟତାରେ ନିୟମିତ ପର୍ଯ୍ୟାୟରେ ବିମାନ ବନ୍ଦର ଚରିପାଖକୁ ସଫା ରଖିବା ପାଇଁ କୁହାଯାଇଛି ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ କହିଛନ୍ତି।
ପ୍ରତିଦିନ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପ୍ରାୟ ୮୦ଟି ବିମାନ ଯାତାୟାତ କରେ। ବର୍ଷକ ମଧ୍ୟରେ ଦୁଇରୁ ୩ଥର ବାର୍ଡ ହିଟିଂ ଘଟିବାର ନଜିର ରହିଛି । ଯଦିଓ ବିମାନଗୁଡ଼ିକ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଛି କିନ୍ତୁ ଚିନ୍ତା କମାଇନି। ତେଣୁ ସୁରକ୍ଷା ଦୃଷ୍ଟିରୁ ସମସ୍ତ ପ୍ରକାର ବ୍ୟବସ୍ଥା ନିହାତି ଜରୁରୀ ହୋଇ ପଡ଼ିଛି ।