ଭୁବନେଶ୍ଵର : ଡିଜି-ଆଇଜି ସମ୍ମିଳନୀରେ ଆଜି ୨ୟ ଦିନ । ଆଜିର ଏହି ସମ୍ମିଳନୀରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଥିପାଇଁ ପ୍ରଥମେ ସକାଳ ୮ଟା ୫ ମିନିଟରେ ଆଇପିଏସ୍ ମେସ୍ରୁ ବାହାରି ୮ ଟା ୧୫ରେ ସମ୍ମିଳନୀ କକ୍ଷରେ ପହଞ୍ଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ତାଙ୍କ ପରେ ୮ଟା ୨୦ରୁ ରାଜଭବନରୁ ବାହାରି ୮.୨୫ ମିନିଟରେ ଲୋକସେବା ଭବନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ସକାଳ ୮ ଟା ୩୦ ରୁ ଆଲୋଚନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ଆଜି ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଚ୍ୟାଲେଞ୍ଜ ଉପରେ ପ୍ରଜେଣ୍ଟେସନ ରଖିବେ । ସେହିପରି କେନ୍ଦ୍ରୀୟ ସୁରକ୍ଷା ବାହିନୀର ମୁଖ୍ୟ ସୀମାରେ ବିଭିନ୍ନ ଚ୍ୟାଲେଞ୍ଜ ଉପସ୍ଥାପନ କରିବେ । ତେବେ ଆଜି ଦେଶର ସୁରକ୍ଷା ନେଇ ଅନେକ ପ୍ରକାର ଆଲୋଚନା ହୋଇପାରେ । ଆତଙ୍କବାଦୀ ମୁକାବିଲା, ସାଇବର ଠକେଇ ଏବଂ ନକ୍ସଲଙ୍କ ଉପଦ୍ରବକୁ ନେଇ ମାନସମନ୍ଥନ ହେବ । ଏହାସହିତ ଆଧୁନିକ ଜ୍ଞାନକୌଶଳ ଏବଂ ଦେଶରକ୍ଷା ଉପରେ ମଧ୍ୟ ଆଲୋଚନା ହୋଇପାରେ । ମୋଦି ସକାଳ ୮ ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।
ଏହା ପୂର୍ବରୁ ସକାଳୁ ସକାଳୁ ରାଜ୍ୟ ଅତିଥି ଭବନରେ ଯୋଗ ଶିବିରର ଆୟୋଜନ କରାଯାଇଥିଲା । ସବୁ ରାଜ୍ୟର ଡିଜିପି ଏବଂ ଆଇଜିପି ଏହି ଯୋଗରେ ସାମିଲ ହୋଇଥିଲେ । ସମସ୍ତଙ୍କ ପାଇଁ ଡ୍ରେସକୋର୍ଡ କରାଯାଇଥିବା ବେଳେ ଧଳା ରଙ୍ଗର ଡ୍ରେସ ପିନ୍ଧି ସମସ୍ତେ ଯୋଗ କରିଥିଲେ ।