ଶ୍ରୀମନ୍ଦିରରେ ଫେବୃଆରୀ ପହିଲାରୁ ଧାଡ଼ି ଦର୍ଶନ, ଘୁଞ୍ଚିବା ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ

ପୁରୀ : ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ନେଇ ପୁଣି ନୂଆ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ପୂର୍ବରୁ ଏହି ଧାଡ଼ି ଦର୍ଶନ ଜାନୁଆରୀ ୨୦ରୁ ଆରମ୍ଭ ହେବାକୁ ଥିବାବେଳେ ଏବେ କିନ୍ତୁ ଏଥିରେ ପରିବର୍ତ୍ତନ ହୋଇପାରେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି, ଫେବୃଆରୀ ପହିଲାରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହୋଇପାରେ ।

ତେବେ ନାଟମଣ୍ଡପରେ ଥିବା ହୁଣ୍ଡି ସ୍ଥାନାନ୍ତର ନ ହେବା ପର୍ଯ୍ୟନ୍ତ ନୂତନ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବା ସମ୍ଭବ ନୁହେଁ। ହୁଣ୍ଡି ସ୍ଥାନାନ୍ତର ପରେ ଫେବୃଆରୀ ପହିଲାରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇପାରେ । ଏଥି ନିମନ୍ତେ ପରିଚାଳନା କମିଟିର ସୁପାରିସ ଓ ଏହି ସୁପାରିସକୁ ସରକାର ଅନୁମୋଦନ କରିବା ଆବଶ୍ୟକ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଯେହେତୁ ନୂଆ ପରିଚାଳନା କମିଟି ଗଠିତ ହୋଇପାରିନି, ତେଣୁ ପ୍ରକ୍ରିୟା ବିଳମ୍ବିତ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ ଧାଡି ଦର୍ଶନକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ୬ ଥାକିଆ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ । କାଠରେ ତିଆରି ବ୍ୟାରିକେଡରେ ଭକ୍ତ ପ୍ରବେଶ କରିବେ । ସେଥିରୁ ପ୍ରଥମ ଧାଡ଼ି ଦିବ୍ୟାଙ୍ଗ ଭକ୍ତ, ଦ୍ୱିତୀୟ ଧାଡିରେ ମହିଳା ଓ ଛୋଟପିଲା ଏବଂ ଗୋଟିଏ ଧାଡ଼ି ବରିଷ୍ଠ ନାଗରିକଙ୍କ ପାଇଁ ରହିବ । ସମସ୍ତ ଭକ୍ତ ବାହାର କାଠ ପାଖରେ ରାମ୍ପରେ ଚଢ଼ି ଠାକୁରଙ୍କୁ ଦର୍ଶନ କରିବେ । ମହିଳା ଓ ବରିଷ୍ଠ ନାଗରିକ ମାନେ ଘଣ୍ଟିଦ୍ବାର ଏବଂ ପୁରୁଷ ଭକ୍ତ ଗାରଦଦ୍ୱାର ଦେଇ ପ୍ରସ୍ଥାନ କରିବେ ।

You might also like