ସିଲ୍ ହେଲା ବଲେ ବଲେ ଢାବା, ୩ ଦିନରେ ଖାଲି କରିବାକୁ ଜାରି ହୋଇଥିଲା ଲଟକା
ଧର୍ମଶାଳା : ସିଲ୍ ହେଲା ବଲେ ବଲେ ଢାବା । ଚଣ୍ଡିଖୋଲରେ ଧର୍ମଶାଳା ଭଵନ କ୍ୟାମ୍ପସରେ ଥିବା ବଲେ ବଲେ ଢାବା ବ୍ଳକ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ଗତ ୨୮ତାରିଖରେ ୩ ଦିନରେ ଖାଲି କରିବାକୁ ଲଟକା ଜାରି କରାଯାଇଥିଲା। ବିନା କାଗଜପତ୍ରରେ ଧର୍ମଶାଳା ଭବନ ଭିତରେ ଏହି ଢାବା ଚାଲୁଥିବା ଅଭିଯୋଗ ହୋଇଥିଲା । ଏହା ପରେ ଢାବା ସିଲ୍ କରିବାକୁ ଲଟକା ଲଗାଇଥିଲା ଜିଲ୍ଲା ପ୍ରଶାସନ ।
ଗତକାଲି ୩ଦିନ ପୂରଣ ହୋଇଥିବା ବେଳେ ଆଜି ଢ଼ାବାକୁ ସିଲ କରିଛି ବ୍ଳକ ପ୍ରଶାସନ । ଏନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ସୂଚନା ଦେଇଥିଲେ । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟ ୧୬ ନମ୍ୱର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଏହି ଫୁଡ଼ କୋର୍ଟ ତଥା ବଲେ ବଲେ ଢାବା ରହିଛି । ଧର୍ମଶାଳା ଭବନ ପରିସରରେ ନିର୍ମାଣ ହୋଇଥିବା ଏହି ଢାବାକୁ ବେଆଇନ ଭାବେ ଦଖଲ କରି ଚଳାଇବା ଅଭିଯୋଗ ହୋଇଥିଲା ।
ତେବେ ଏହା କାହାକୁ ଲିଜ୍ ଦିଆଯାଇଛି ସେ ସମ୍ପର୍କରେ ବ୍ଲକରେ କୌଣସି ତଥ୍ୟ ରହି ନ ଥିବାବେଳେ ଏକ କମିଟି ଗଠନ କରାଯାଇ ଏହାର ତଦନ୍ତ କରାଯିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ ସୂଚନା ଦେଇଛନ୍ତି । ଏହାସହ ଟେଣ୍ଡର ମାଧ୍ୟମରେ ଏହାକୁ ଲିଜ୍ ସୂତ୍ରରେ ଦିଆଯିବ ବୋଲି ସେ କହିଛନ୍ତି । ତେବେ ଏତେଦିନ ହେଲା ବ୍ଲକ ପ୍ରଶାସନର ଅଗୋଚରରେ କିଭଳି ଜଣେ ଢାବାକୁ ନିଜ ଅକ୍ତିଆରରେ ରଖି ଚଳାଉଥିଲେ ସେନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।