ଧର୍ମଶାଳା ମହାବିଦ୍ୟାଳୟ ସ୍ଵନକ୍ଷତ୍ର ସମାରୋହରେ ପରିଚାଳନା କମିଟିକୁ ଅଣଦେଖା ଅଭିଯୋଗ, ଅଧ୍ୟକ୍ଷଙ୍କ ଅଜବ ଉତ୍ତର

ଯାଜପୁର (କେନ୍ୟୁଜ୍‌) : ଯାଜପୁର ଜିଲ୍ଲା ଧର୍ମଶାଳା ମହାବିଦ୍ୟାଳୟର ୪୭ତମ ସ୍ଵନକ୍ଷତ୍ର ସମାରୋହ ଉତ୍ସବ କାର୍ଯ୍ୟକ୍ରମରେ ବ୍ୟତିକ୍ରମ ଅଭିଯୋଗ l କଲେଜ ପରିଚାଳନା କମିଟିକୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ସ୍ଵନକ୍ଷତ୍ର ସମାରୋହକୁ ପରିଚାଳନା କମିଟି ସଭାପତି ଓ ସଦସ୍ୟମାନଙ୍କୁ ନିମନ୍ତ୍ରଣ କରାଯାଇ ନଥିବା ଭଳି ଗୁରୁତର ଅଭିଯୋଗ କରିଛନ୍ତି ସଦସ୍ୟମାନେ l ଦୀର୍ଘ ୪୭ ବର୍ଷର ପରମ୍ପରା ଭଙ୍ଗ ହୋଇଥିବା କହିଛନ୍ତି ପରିଚାଳନା କମିଟି ସଭାପତି।

ସରକାର ପରିର୍ବତ୍ତନ ପରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ପରିଚାଳନା କମିଟିକୁ ଅଣଦେଖା କରିବା ଘଟଣାକୁ ସଭାପତି ଡ଼. ପ୍ରିୟନାଥ ମହାପାତ୍ର ନାପସନ୍ଦ କରିଛନ୍ତି। କୌଣସି ସରକାରଙ୍କ ଦ୍ୱାରା ନୁହେଁ ବରଂ ଧର୍ମଶାଳାବାସୀଙ୍କ ଉଦ୍ୟମରେ ଏହି ଅନୁଷ୍ଠାନ ଗଢ଼ା ହୋଇଛି କିନ୍ତୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଏହି ପରମ୍ପରାକୁ ଭଙ୍ଗ କରି କାହା ସ୍ୱାର୍ଥରେ ଏଭଳି କଲେ ବୋଲି ପ୍ରଶ୍ନ ଉଠାଇଛି ପରିଚାଳନା କମିଟି।

ଏପଟେ ଏହି ଅଭିଯୋଗକୁ ସ୍ୱୀକାର କରିବା ସହ ମହାବିଦ୍ୟାଳୟର ଅଧ୍ୟକ୍ଷ ଅବାସ୍ତବ ଯୁକ୍ତି ଉପସ୍ଥାପନ କରିଛନ୍ତି। ସରକାର ପରିର୍ବତ୍ତନ ହୋଇଥିବା ବେଳେ ସ୍ଥାନୀୟ ନେତୃତ୍ୱ ତାଙ୍କ ପ୍ରତିନିଧିତ୍ୱକୁ ଗ୍ରହଣ କରିପାରି ନାହାନ୍ତି। ଏଣୁ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଚାପରେ ଏବଂ ତାଙ୍କ ମତକୁ ସମ୍ମାନ ଦେବାକୁ ଯାଇ ସେ ପରିଚାଳନା କମିଟି ସଦସ୍ୟଙ୍କୁ ଡାକିନଥିବା କହିଛନ୍ତି। ଯେଉଁଥି ପାଇଁ ସେ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି।

ସୂଚନା ମୁତାବକ ମହାବିଦ୍ୟାଳୟର ୪୭ତମ ସ୍ଵନକ୍ଷତ୍ର ସମାରୋହରେ ଉଦଘାଟକ ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶଖେର ସାହୁ, ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ଓ ମୁଖ୍ୟବକ୍ତା ଭାବେ କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କୁ ନିମନ୍ତ୍ରଣ କରାଯାଇଥିଲା। ନିର୍ଦ୍ଧାରିତ ସମୟରେ ସାଂସଦ ଶ୍ରୀ ବେହେରା ପହଞ୍ଚିଥିଲେ l ତେବେ ଅନ୍ୟ ଦୁଇ ଅତିଥି ପ୍ରାୟ ଏକ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ l ପରେ ଯାଜପୁର ସାଂସଦ ମଞ୍ଚକୁ ନଯାଇ ଫେରି ଯାଇଥିଲେ।

ତେବେ ଶିକ୍ଷାନୁଷ୍ଠାନ ସମାରୋହରେ ରାଜନୈତିକ ଉଦ୍ଦେଶ୍ୟ ରଖି ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ ସଦସ୍ୟମାନଙ୍କୁ ନିମନ୍ତ୍ରଣ କରାନଯିବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଛି।..

You might also like