ଜମୁଛି ଧର୍ମଶାଳା ମହୋତ୍ସବ, ଆକର୍ଷଣ ସାଜିଛି ମୀନା ବଜାର ସାଙ୍ଗକୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ

ଯାଜପୁର : ଧର୍ମଶାଳା ମହୋତ୍ସବରେ ଲୋକଙ୍କ ପ୍ରବଳ ଭିଡ଼ । ସନ୍ଧ୍ୟା ଯେମିତି ହେଉଛି ଲୋକଙ୍କ ଭିଡ଼ ସେତେ ବଢ଼ିବାରେ ଲାଗିଛି । ପବିତ୍ର ଲକ୍ଷ୍ମୀନାରାୟଣ ପୂଜା ଅବସରରେ ଯାଜପୁର ଜିଲ୍ଲା ଧର୍ମଶାଳାରେ ଆରମ୍ଭ ହୋଇଛି ବିଂଶତମ ଧର୍ମଶାଳା ମହୋତ୍ସବ । ଗତ ୨୬ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଆସନ୍ତା ୬ତାରିଖ ଯାଏ ଚାଲିବ ।

ସ୍ଥାନୀୟ ଧର୍ମଶାଳା ପୂଜା ମହୋତ୍ସବ କମିଟି ଏହି ମହୋତ୍ସବକୁ ଆୟୋଜନ କରି ଆସୁଛି । ଏହାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ମହୋତ୍ସବ କମିଟି ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମୀନା ବଜାର ମହୋତ୍ସବର ମୁଖ୍ୟ ଆକର୍ଷଣ ପାଲଟିଛି । ଲକ୍ଷ୍ମୀ ନାରାୟଣଙ୍କୁ ଦର୍ଶନ କରିବା ସହ ଶୀତୁଆ ସନ୍ଧ୍ୟାରେ ମହୋତ୍ସବର ଭରପୁର ମଜା ଉଠାଉଛନ୍ତି ଦର୍ଶକ ।

ଚଳିତ ବର୍ଷ ମହୋତ୍ସବକୁ ବହୁ ଆଡ଼ମ୍ବର ସହକାରେ ଆୟୋଜନ କରାଯାଇଥିବା ବେଳେ ପଡିଆରେ ଶତାଧିକ ବିଭିନ୍ନ ପ୍ରକାରର ଷ୍ଟଲ ଲାଗିଛି । ଭଳିକି ଭଳି ଦୋଳି ମଧ୍ୟ ପଡିଛି । ଯାହାର ମଜା ଉଠାଉଛନ୍ତି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ ଯୁବତୀ । ଏପଟେ ମୀନା ବଜାର ସାଙ୍ଗକୁ ଚଟପଟା ଖାଦ୍ୟର ମଜା ଉଠାଉଛନ୍ତି ଲୋକେ । ମୁଖ୍ୟ ଆକର୍ଷଣ ସାଜିଛି ସାଂସ୍କୃତିକ କାର୍ଯ୍ୟକ୍ରମ । ମହୋତ୍ସବର ମୁକ୍ତାକାଶ ରଙ୍ଗମଂଚରେ ପ୍ରତ୍ୟହ ସଂଧ୍ୟାରେ ବଲିଉଡ ଓ ଓଲିଉଡ଼ କଳାକାରମାନେ କଳା ପ୍ରଦର୍ଶନ କରୁଛନ୍ତି । ଯାହାକୁ ଦେଖିବାକୁ ଲୋକଙ୍କ ଭିଡ ଜମୁଛି ।