ଟ୍ଵିଟକୁ ନେଇ ଅଡୁଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ! ଦକ୍ଷତା ବିକାଶ ମନ୍ତ୍ରାଳୟର ନିମନ୍ତ୍ରଣପତ୍ରରେ ବିକୃତ ଓଡ଼ିଆ ଭାଷା

ଭୁବନେଶ୍ବର : ଓଡ଼ିଆରେ କଦର୍ଯ୍ୟ ଓ କଦର୍ଥ ଲେଖା । ଶବ୍ଦ ଓ ବାକ୍ୟ କିଛି ବି ଠିକ୍ ନାହିଁ । ଖୋଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୋସିଆଲ୍ ମିଡିଆ ପେଜ୍ରେ ଏମିତି ଏକ ନିମନ୍ତ୍ରଣ ପତ୍ର ଅପ୍ଲୋଡ୍ ହୋଇଛି । ତାହା ହେଉଛି ଦକ୍ଷତା ବିକାଶ ମନ୍ତ୍ରାଳୟର ନିମନ୍ତ୍ରଣପତ୍ର ।
ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ଏହି ନିମନ୍ତ୍ରଣପତ୍ରରେ ବିକୃତ ଓଡ଼ିଆ ଲେଖାଯାଇଛି । ଯାହାକୁ ନିଜ ସୋସିଆଲ୍ ମିଡିଆ ପେଜ୍ରେ ଅପ୍ଲୋଡ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦକ୍ଷତା ବିକାଶ ବିଭାର ସେ ମନ୍ତ୍ରୀ । ଏଭଳି ଭୁଲ୍ ଲେଖାଥିବା ନିମନ୍ତ୍ରଣପତ୍ରକୁ କେମିତି ସୋସିଆଲ୍ ମିଡିଆରେ ଅପଲୋଡ୍ କଲେ, ତାକୁ ନେଇ ଚର୍ଚ୍ଚା । ବିଭିନ୍ନ ମହଲରେ ଏନେଇ ଉଦ୍ବେଗ ପ୍ରକାଶ ପାଇଛି । ବେଶ୍ ହଟହଟା ହୋଇଛନ୍ତି ଧର୍ମେନ୍ଦ୍ର । କଦର୍ଯ୍ୟ ଲେଖା ଦେଖି ତାଙ୍କୁ ବିରୋଧୀ ତୀବ୍ର ସମାଲୋଚନା କରିଛନ୍ତି ।
ଅନ୍ଯପଟେ ବେଶ୍ ସମାଲୋଚିତ ଓ ହଟହଟା ହେବା ପରେ ଧର୍ମେନ୍ଦ୍ର କହିଛନ୍ତି, ବେଳେବେଳେ କମ୍ପ୍ୟୁଟରରେ ଏମିତି ଭୁଲ ହୋଇଯାଏ ।
ସୋସିଆଲ୍ ମିଡିଆରେ ଧର୍ମେନ୍ଦ୍ର ସବୁବେଳେ ସକ୍ରିୟ। ଓଡ଼ିଆରେ ଫଟାଫଟ୍ ବିଭିନ୍ନ ଟ୍ଵିଟ୍ ବି କରନ୍ତି । ତେବେ ଏହି ନିମନ୍ତ୍ରଣପତ୍ର ଅପଲୋଡ୍ କରିବା ଆଗରୁ କେମିତି ଦେଖି ପାରିଲେ ନାହିଁ ? ନିମନ୍ତ୍ରଣପତ୍ରରେ ଆମୂଳଚୂଳ ଭୁଲ୍ । ସବୁବେଳେ ଓଡ଼ିଆ ଭାଷା ଏବଂ ଓଡ଼ିଶାର ବିକାଶ ନେଇ ନାରା ଦେଉଥିବା ଧର୍ମେନ୍ଦ୍ରଙ୍କର ଏଭଳି ସାଂଘାତିକ ଭୁଲ୍ ହେଲା କେମିତି ? କେହି କେହି ତାଙ୍କର ଓଡ଼ିଆ ଜ୍ଞାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସୋସିଆଲ୍ ମିଡିଆରେ ବେଶ୍ ସମାଲୋଚିତ ହୋଇଛନ୍ତି ଧର୍ମେନ୍ଦ୍ର ।
ଓଡ଼ିଆ ଭାବେ ଭାଷା ସୁରକ୍ଷା, ଭାଷାର ଅସ୍ମିତା ଓ ସ୍ୱାଭିମାନର ଡିଣ୍ଡିମ ପିଟୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କୌଶଳ ପ୍ରତିଯୋଗିତା ଓ ପ୍ରଦର୍ଶନୀର ଏହି ନିମନ୍ତ୍ରଣପତ୍ର ଆତ୍ମକଥିତ ଷୋଳଅଣା ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କ ଖାମଖିଆଲି ମନୋଭାବକୁ ପଦାରେ ପକାଇଦେଇଛି ।