କୋଣାର୍କ ଇକୋ ରିଟ୍ରିଟ୍ର ଉଦଘାଟନ ପରେ ଓଡ଼ିଶାକୁ ଆସ ଓ ଓଡ଼ିଶାକୁ ଉପଭୋଗ କର ବୋଲି ଟୁଇଟ୍ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କେନ୍ୟୁଜ୍(ବ୍ୟୁରୋ): ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ରେ ଆରମ୍ଭ ହୋଇଛି ଇକୋ ରିଟ୍ରିଟ୍ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଛନ୍ତି । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ପ୍ରଥମ ଥର ରାଜ୍ୟରେ ଏଭଳି ନିଆରା ଉତ୍ସବ ଆୟୋଜିତ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏନେଇ ଟ୍ଵିଟ୍ କରିଛନ୍ତି । ଟ୍ଵିଟ୍ ମାଧ୍ୟମରେ ପର୍ଯ୍ୟଟକଙ୍କୁ ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ କରିଛନ୍ତି । ଧର୍ମେନ୍ଦ୍ର ଟ୍ଵିଟ୍ରେ ଲେଖିଛନ୍ତି, ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍ କାର୍ନିଭାଲ, କୋଣାର୍କ ଆପଣଙ୍କୁ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ, ସଂସ୍କୃତି ଓ ମନୋରମ ବ୍ୟଞ୍ଜନ ମାଧ୍ୟମରେ ଏକ ଅବିଶ୍ୱସନୀୟ ଯାତ୍ରା କରାଇବ । ଓଡ଼ିଶା ଆସନ୍ତୁ ଓ ମନ୍ତ୍ରମୁଗ୍ଧ ହୋଇଯାଆନ୍ତୁ ବୋଲି କହିଛନ୍ତି ।
ଓଡିଶାର ଛେନାପୋଡ, ଆରିସା ପିଠା, ପଖାଳ, ଆମ୍ବୁଲ, ସୋରିଷ ମାଛ ତରକାରୀ, ସମ୍ବଲପୁରୀ ଶାଢୀ, ଖୋର୍ଦ୍ଧା ଗାମୁଛା, ଏ ସବୁକୁ ବିଶ୍ୱରେ କିଏ ପହଁଚାଇବ ? ଏକବିଂଶ ଶତାବ୍ଦୀରେ ଓଡିଶାର ସମସ୍ତ ଲୋକ ଏକାଠୀ ହୋଇ ଓଡିଶାର ଏହି ସବୁ ଜିନିଷକୁ ବିଶ୍ୱରେ ପହଁଚାଇବାର ଆବଶ୍ୟକତା ରହିଛି । ତେବେ ଯାଇ ଓଡିଶା ଅଧିକରୁ ଅଧିକ ବିଶ୍ୱରେ ପରିଚିତ ହୋଇପାରିବ। pic.twitter.com/dce9IJ1GW0
— Dharmendra Pradhan (@dpradhanbjp) December 15, 2019
ଏହାପୂର୍ବରୁ ଶ୍ରୀମନ୍ଦିରକୁ ରାଜ୍ୟ ସରକାରଙ୍କ ପ୍ୟାକେଜ ଘୋଷଣାକୁ ନେଇ ଧର୍ମେନ୍ଦ୍ର ପ୍ରଶଂସା କରିଥିଲେ । ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଏଭଳି ପ୍ରଶଂସା ପରେ ନୂଆ ସମୀକରଣର ଆଭାସ ମିଳୁଛି । ଅଶ୍ୱିନୀ ବୈଷ୍ଣବଙ୍କ ସମର୍ଥନ ଠାରୁ ଆରମ୍ଭ କରି ନାଗରିକତା ସଂଶୋଧନ ବିଲ୍ ପର୍ଯ୍ୟନ୍ତ । ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ରରେ ବିଜେଡି ଓ ବିଜେପିର ସ୍ୱର ଏକ ହୋଇଛି । ଏନଡିଏ ସରକାରଙ୍କ ମତରେ ମତ ମିଶାଇଛି ବିଜେଡି । ଅନ୍ୟପଟେ ରାଜ୍ୟ ସ୍ୱାର୍ଥ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଲକୁ ସମର୍ଥନ କରୁଥିବା ବିଜେଡି କହିଛି ।ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି–ବିଜେପି ସମ୍ପର୍କ ଆରପାର ଥିଲା। କିନ୍ତୁ ଏହା ଭିତରେ ଅନେକ ନୂଆ ନୂଆ ଘଟଣା ସାମ୍ନାକୁ ଆସିବାରେ ଲାଗିଛି।