ପଲ୍ଲୀବାଣୀ ମିଶନର ‘ଓଡ଼ିଆ ସାମ୍ବାଦିକତା ପୁରସ୍କାର- ୨୦୨୨’: ଧର୍ମେନ୍ଦ୍ର କହିଲେ ଓଡ଼ିଶାକୁ ବ୍ରାଣ୍ଡ୍ ଭାବରେ ପ୍ରତିଷ୍ଠା କରିବା ଆମ ସମସ୍ତଙ୍କ ଦାୟିତ୍ୱ

ଦିଲ୍ଲୀ(କେନ୍ୟୁଜ୍):ଏକବିଂଶ ଶତାବ୍ଦୀରେ ଆମର ନିଜସ୍ୱ ପରିଚୟ ତଥା ଓଡ଼ିଆ ଜାତିକୁ ବୈଜ୍ଞାନିକ ଢଙ୍ଗରେ ସମାଜ ଆଗରେ ଉପସ୍ଥାପନ କରିବାକୁ ହେବ । କେବଳ ପୁରୁଣା କଥାକୁ ନେଇ ନୁହେଁ ବରଂ ଆଧୁନିକ କଥାକୁ ନେଇ ସମାଜ ଆଗରେ ଆମ ଓଡ଼ିଶାର ପରିଚୟକୁ ବୈଜ୍ଞାନିକ ଢଙ୍ଗରେ ଉପସ୍ଥାପନ କରିବାକୁ ହେବ । ସେହିପରି ଓଡ଼ିଶାକୁ ବ୍ରାଣ୍ଡ୍ ଭାବରେ ପ୍ରତିଷ୍ଠା କରିବା ଆମ ସମସ୍ତଙ୍କର ଦାୟିତ୍ୱ ରହିଛି ବୋଲି ଶନିବାର ନୂଆଦିଲ୍ଲୀ ଠାରେ ‘ଓଡ଼ିଆ ସାମ୍ବାଦିକତା ପୁରସ୍କାର-୨୦୨୨’ରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପଲ୍ଲୀବାଣୀ ମିଶନ ପକ୍ଷରୁ ଆୟୋଜିତ ଏହି ପୁରସ୍କାର ସମାରୋହରେ କେନ୍ଦ୍ରମନ୍ତ୍ରୀ ଓଡ଼ିଶାର ୬ ଜଣ ସାମ୍ବାଦିକମାନଙ୍କୁ ‘ଓଡ଼ିଆ ସାମ୍ବାଦିକତା ପୁରସ୍କାର-୨୦୨୨’ ପ୍ରଦାନ କରିଛନ୍ତି । ସେମାନେ ହେଲେ ଅଶୋକ କୁମାର ପ୍ରଧାନ, ସନ୍ଦୀପ ଦାସ, ମୌସୁମୀ ମହାନ୍ତି, ପ୍ରମୋଦ କୁମାର ମହାନ୍ତି, ଜିତେନ୍ଦ୍ର ବେଉରା, ପ୍ରଶାନ୍ତ କୁମାର ଦାଶ ଓ ସୂର୍ଯ୍ୟ ଦେଓ । ସମ୍ମାନିତ ହୋଇଥିବା ସମସ୍ତ ସାମ୍ବାଦିକଙ୍କୁ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି ।

pramod mohanty 2

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବିଭିନ୍ନ ସମୟରେ ଓଡ଼ିଶାକୁ ସର୍ବଭାରତୀୟ ସ୍ତରରେ ପ୍ରତିପାଦିତ କରିବାରେ ଆମର ସାମ୍ବାଦିକ ମାନଙ୍କ ଦାୟିତ୍ୱ ଅକଳ୍ପନୀୟ । ଆଜି ଡିଜିଟାଲ ସାମ୍ବାଦିକତା ସମୟରେ ଖବର ପ୍ରକାଶ କରିବାର ଶୈଳି ପରିବର୍ତ୍ତିତ ହୋଇଛି । ଦ୍ରୁତ ଗତିରେ ବଦଳି ଚାଲିଥିବା ଟେକ୍ନୋଲୋଜି ବ୍ୟବସ୍ଥା ସାଙ୍ଗେ ତାଳ ଦେଇ ସାମ୍ବାଦିକ ମାନଙ୍କୁ ଚାଲିବାକୁ ପଡିବ । ଆଜିର ସମୟରେ ସାମାଜିକ ଗଣମାଧ୍ୟମ ଖବର ଦେବାର ନୂଆ ପରିଭାଷା ବଦଳାଇଛି ଓ ସମସ୍ତଙ୍କ ମଧ୍ୟରେ ପରୋକ୍ଷରେ ଜଣେ ଜଣେ ସାମ୍ବାଦିକର ଦାୟିତ୍ୱବୋଧତା ତିଆରି କରାଇଛି । ଏହା ଏକ ଗଣତାନ୍ତ୍ରିକ ସମାଜ ପାଇଁ ଶୁଭ ସଙ୍କେତ ।

ସଂସ୍କୃତି ସମ୍ପନ୍ନ ରାଜ୍ୟ ଓଡ଼ିଶା ପୁରାତନ ଓ ଜୀବନ୍ତ ସଭ୍ୟତା । ମହାପ୍ରଭୁ ଶ୍ରୀଜଗନ୍ନାଥ ଆମର ପରିଚୟ । ଆମର ଲେଖା ଓ ବୌଦ୍ଧିକ କ୍ଷମତା ହେଉଛି ଆମର ପୁଞ୍ଜି । ଏହି ସମୟରେ ଆମର ଦାୟିତ୍ୱ ହେଉଛି ଓଡ଼ିଶାର ବ୍ରାଣ୍ଡ୍ କେମିତି ହେବ ? ଆମ ସମାଜ ସହ ସାମ୍ବାଦିକ ବନ୍ଧୁମାନେ ଏ ଦିଗରେ ବ୍ରତୀ ହେବା ଦରକାର । ଆମର ସାଧବ ପୁଅମାନେ ଅତୀତରେ ଜାଭା, ବାଲି, ସୁମାତ୍ରା ଓ ବୋର୍ଣ୍ଣିଓ ଦ୍ୱୀପକୁ ନୌବାଣିଜ୍ୟ କରିବାର କରିବା ପାଇଁ ଯାଉଥିଲେ । ଏହାର ସ୍ମୃତିରେ ଆମେ ବାଲିଯାତ୍ରା ପାଳନ କରୁଛୁ । ବାଲିଯାତ୍ରା ସହ ଆମର ଭାବନାତ୍ମକ ସମ୍ପର୍କ ଅଛି । ବାଲି ଗସ୍ତ ଅବସରରେ ସେଠାରେ ଆମ ଓଡ଼ିଶା ଓ ଭାରତୀୟ କଳା, ସଂସ୍କୃତିକୁ ଦେଖିବାର ସୁଯୋଗ ପାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସେ କହିଥିଲେ ଯାହା ମନରେ ଆକାଂକ୍ଷା ଥାଏ, ସିଏ ଦିଗବିଜୟୀ ହେବ । ସେହି ବ୍ୟକ୍ତି ଦିଗବିଜୟୀ ସେବେ ହେବ, ଯେବେ ସେ ନିଜର ପୃଷ୍ଠଭୂମି ବିଷୟରେ ଅବଗତ ହେବ । ଏକବିଂଶ ଶତାବ୍ଦୀରେ ଭାଷା ଓ ସଂସ୍କୃତିକୁ ସମୃଦ୍ଧ ସହ ଓଡ଼ିଶା ରାଜ୍ୟକୁ ଅଗ୍ରଣୀ କରିବାକୁ ହେବ ବୋଲି ସେ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ପଲ୍ଲୀବାଣୀ ମିଶନର ୨୫ତମ ରୌପ୍ୟ ଜୟନ୍ତୀ ଅବସରରେ ଏକ ଲୋଗୋ ଉନ୍ମୋଚନ କରିଥିଲେ । ଏହି ମିଶନ ଓଡ଼ିଶାର ସାମ୍ବାଦିକ ମାନଙ୍କୁ ଦିଲ୍ଲୀ ଡା଼କି ପୁରସ୍କାର ଦେବାର ପରମ୍ପରା ଜାରୀ ରଖିଥିବାରୁ ସେ ମିଶନର ଅଧ୍ୟକ୍ଷ ରାମଚନ୍ଦ୍ର ନାଥଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.