ଢେଙ୍କାନାଳ ଡିଏସପିଙ୍କ ଦୁଇ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି, ବଡ଼ ବଡ଼ ସହରରେ ରହିଛି ପ୍ଲଟ

ଢେଙ୍କାନାଳ(କେନ୍ୟୁଜ୍): ଭିଜିଲାନ୍‌ସ ଜାଲରେ ପଡ଼ିଥିବା ଢେଙ୍କାନାଳ ଡିଏସପି ଅଭିନବ ଡାଳୁଆଙ୍କର ରହିଛି ୧୪ ପ୍ଲଟ । ଏହାର ମୂଲ୍ୟ ଦୁଇ କୋଟି ଟଙ୍କାରୁ ଅଧିକ ହେବ । ଜଟଣୀ, ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁର ଓ କେନ୍ଦୁଝରରେ ତାଙ୍କର ପ୍ଲଟ ଥିବା ଜଣାଯାଇଛି । ଅଭିନବ ଡାଳୁଆ ଓ ତାଙ୍କ ସମ୍ପର୍କୀୟଙ୍କ ନାମରେ ଏସବୁ ପ୍ଲଟ ରହିଛି । ଏହା ବ୍ୟତୀତ ତାଙ୍କର ବେନାମୀ ସମ୍ପତ୍ତି ଥିବା ସନ୍ଦେହ କରୁଛି ଭିଜିଲାନ୍ସ । ତାଙ୍କର ଥିବା ବ୍ୟାଙ୍କ ଜମା, ଅନ୍ୟ ଅର୍ଥ ଲଗାଣକାରୀ ସଂସ୍ଥା ଓ ସେୟାର ମାର୍କେଟ ଅଂଶଧନ ସମ୍ପର୍କରେ ଯାଞ୍ଚ ଚଳାଇଛି ଭିଜିଲାନ୍ସ ।

ଗତ ୩୦ ତାରିଖରେ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ ଅଭିନବ ଡାଳୁଆ । ତାଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ଭିଜିଲାନ୍‌ସ ସ୍ପେଶାଲ ଜଜଙ୍କ କୋର୍ଟରେ ହାଜର କରାଯାଇଥିଲା । ଏହାପରେ କୋର୍ଟ ତାଙ୍କୁ ପୁଣି ଜେଲ୍‌କୁ ପଠାଇଦେଇଛନ୍ତି ।

କୋଇଲା ପରିବହନ କରୁଥିବା ଜଣେ ଟ୍ରକ ମାଲିକଙ୍କଠାରୁ ପରିବହନ ସଂକ୍ରାନ୍ତୀୟ ମାମଲାରେ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଡିଏସ୍‌ପି ଅଭିନବ ଡାଳୁଆ ଧରାପଡ଼ିଥିଲେ । ଗତ ଅଗଷ୍ଟ ୨୪ ତାରିଖରେ ସେ ୧୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ । କିନ୍ତୁ ଅଭିନବ ଡାଳୁଆ ଅଧିକ ଟଙ୍କା ଦାବି କରିବାରୁ ଟ୍ରକ ମାଲିକ ଭିଜିଲାନ୍‌ସର ଦ୍ୱାରସ୍ଥ ହୋଇଥିଲେ । ଗତ ୩୦ ତାରିଖ ଦିନ ୩୦ ହଜାର ଲାଞ୍ଚ ଟଙ୍କା ନେବା ବେଳେ ତାଙ୍କୁ ଧରିଥିଲା ଭିଜିଲାନ୍‌ସ । ସେ ଢେଙ୍କାନାଳ ସଦର ଥାନା ଆଇଆଇସି ଦାୟିତ୍ୱରେ ଥିଲେ ।

Leave A Reply

Your email address will not be published.