ବଢୁଛି ଡାଇରିଆ ମୃତ୍ୟୁ ସଂଖ୍ୟା: ରାଜ୍ୟରେ ଗଲାଣି ୨୧ଜୀବନ, ୧୭୦୦ରୁ ଅଧିକ ଆକ୍ରାନ୍ତ

ଯାଜପୁର: ବଢୁଛି ଡାଇରିଆ ମୃତ୍ୟୁ ସଂଖ୍ୟା । ୭ ଜିଲ୍ଲାକୁ ବ୍ୟାପିଲାଣି ଝାଡ଼ବାନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ଗଲାଣି ୨୧ଜୀବନ । ୧୭୦୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ୧୩୦୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବିଭିନ୍ନ ମେଡିକାଲରେ ୨୪୦ ଜଣଙ୍କ ଚିକିତ୍ସା ଚାଲିଛି । ଯାଜପୁର ଜିଲ୍ଲାରେ ହଇଜା ଏବେ ସ୍ଥାନୀୟ ସଂକ୍ରମଣର ରୂପ ନେଇସାରିଛି । ଭିବ୍ରିଓ କଲେରା ଜୀବାଣୁ ଝାଡ଼ାବାନ୍ତିର ପ୍ରକୋପ ବଢ଼ାଇଛି । ତେବେ ଏହା ମହାମାରୀ ନୁହେଁ ସ୍ଥାନୀୟ ସଂକ୍ରମଣ ବୋଲି ରିପୋର୍ଟ ଦେଇଛି ୧୪ ଜଣିଆ କେନ୍ଦ୍ରୀୟ ଦଳ ।

ସେପଟେ ଧର୍ମଶାଳା, ବଡ଼ଚଣା, ରସୁଲପୁର, ଯାଜପର ଟାଉନ, ଦାନଗଦି, ବ୍ୟାସନଗର ମୁନିସିପାଲଟି ଓ କୋରୋଇରେ ପରିସ୍ଥିତି ସଙ୍ଗୀନ ରହିଛି । ନିୟନ୍ତ୍ରଣ ପାଇଁ ଧର୍ମଶାଳା ଅଧୀନରେ ଥିବା ହୋଟେଲ, ଡାବା, ଫାଷ୍ଟଫୁଡ, ଆଇସକ୍ରିମ କାରଖାନା, ପାଣି ପାଉଚ୍ କାରଖାନା ଓ ଆମିଷ ଦୋକାନ ଗୁଡ଼ିକୁ ଆସନ୍ତା ଦୁଇ ସପ୍ତାହ ପାଇଁ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ବିନା ଅନୁମତିରେ ଦୋକାନ ଖୋଲିଲେ ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ । ବିବାହ, ବ୍ରତଘର, ଜନ୍ମଦିନ, ତଥା ସମୁହ ଭୋଜିଭାତକୁ ବର୍ଜନ କରିବାକୁ ଅନୁରୋଧ କରାଯାଇଛି ।

ସେହିଭଳି ଫୁଟାପାଣି ଓ ଗରମ ରନ୍ଧା ଖାଦ୍ୟ ଖାଇବା, ବାସି ଓ ପଚା ଖାଦ୍ୟ ନ ଖାଇବା, ହାଲୋଜେନ ଟାବଲେଟ ଓ ବ୍ଲିଚିଂ ପାଉଡ଼ର ଦ୍ବାରା ବିଶୋଧିତ ଜଳ ହିଁ ବ୍ୟବହାର କରିବା ପାଇଁ ସତର୍କ ଜାରି କରାଯାଇଛି । ଏପଟେ ଜିଲ୍ଲାର ସର୍ବାଧିକ ପ୍ରଭାବିତ ଧର୍ମଶାଳା ବ୍ଲକରେ ଡାଇରିଆ ସ୍ଥିତିର ସମୀକ୍ଷା କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ । ବୈଠକରେ ବିଡ଼ିଓ ଜ୍ୟୋତିର୍ମୟ କର, ତହସିଲଦାର ସମୀର ରଂଜନ ଦାସଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ଲକରେ ଏ ପର୍ଯ୍ୟନ୍ତ ୪ଶହରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ଏବେ ମଧ୍ୟ ଧର୍ମଶାଳା ମେଡ଼ିକାଲରେ ପାଖାପାଖି ୫୦ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ବୈଠକରେ ଶିକ୍ଷକ ମାନଙ୍କୁ ସାମିଲ କରାଯାଇ ପ୍ରଭାବିତ ଗାଁକୁ ଯାଇ ଲୋକମାନଙ୍କୁ ସଚେତନ କରିବା ସହ ଔଷଧ ବିତରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କହିରଖୁଛୁ, ଜୁନ ୯ ତାରିଖରୁ ଯାଜପୁରରେ କାୟା ମେଲାଇଛି ଝାଡାବାନ୍ତି । ତେଣୁ ସମ୍ପୃକ୍ତ ଅଞ୍ଚଳରେ ଥିବା ଜଳଉତ୍ସ ଗୁଡିକୁ ବିଶୋଧନ କରାଯିବା ସହ ଲୋକମାନଙ୍କୁ ସଚେତନ କରାଯାଉଛି । ଦୂଷିତ ପାନୀୟ ଜଳ, ବିଳମ୍ବିତ ଚିକିତ୍ସା ଓ ସଚେତନତାର ଅଭାବ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି ।

ଆହୁରି ପଢ଼ନ୍ତୁ :  ସାଲେପୁରରେ ଝାଡାବାନ୍ତି ଆତଙ୍କ: ଜଣଙ୍କ ମୃତ୍ୟୁ, ଏକାଧିକ ଆକ୍ରାନ୍ତ