ରାୟଗଡା କାଶୀପୁରରେ ପୁଣି ଝାଡାବାନ୍ତି ଆତଙ୍କ: ୭ ଜଣ ଆକ୍ରାନ୍ତ, ୨ ମୃତ

ରାୟଗଡା: ରାୟଗଡା ଜିଲ୍ଲା କାଶୀପୁର ବ୍ଳକରେ ପୁଣି ଖେଳିଯାଇଛି ଝାଡାବାନ୍ତି ଆତଙ୍କ । କାଶୀପୁର ବ୍ଳକର ଗୋରଖପୁର ପଞ୍ଚାୟତରର ଲାମ୍ବେରୀ ଗାଁରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଦୁଇଜଣ ମୃତ୍ୟୁବରଣ କରିଛନ୍ତି । ଗାଁରେ ଝାଡାବାନ୍ତିରେ ୭ ଜଣ ଆକ୍ରାନ୍ତ ହୋଇଛନ୍ତି । ରାୟଗଡା ଜିଲ୍ଲା ପ୍ରଶାସନର ନିର୍ଦେଶ ମୁତାବକ ଗାଁରେ ଏକ ଡାକ୍ତରୀଦଳ ପହଞ୍ଚିଛନ୍ତି । ଦୁର୍ଗମ ଅଗମ୍ୟ ଅଞ୍ଚଳରେ ଅବସ୍ଥିତ ଲାମ୍ବେରୀ ଗାଁକୁ ରାସ୍ତା ନଥିବା ଯୋଗୁଁ ଆକ୍ରନ୍ତମାନଙ୍କ ଚିକିତ୍ସା ରେ ବିଳମ୍ବ ଘଟିଛି ।

ବର୍ଷା ଋତୁ ଆସିଲେ ରାୟଗଡା ଜିଲ୍ଲାର କାଶୀପୁର ବ୍ଳକ ଚର୍ଚ୍ଚାର ପରିଧିକୁ ଆସିଯାଏ । କେତେବେଳେ ମ୍ୟାଲେରିଆ ତ କେତେବେଳେ କଲେରା ତ ଆଉ କେତେବେଳେ ଡିପଥେରିଆ ରୋଗରେ ଆକ୍ରାନ୍ତ ହୋଇ ଲୋକେ ମୃତ୍ୟୁମୁଖରେ ପଡନ୍ତି । ରାୟଗଡା ଜିଲ୍ଲା ସଦର ମହକୁମା ଠାରୁ ୭୦ କିଲୋମିଟର ଦୂରରେ ରହିଛି କାଶୀପୁର ବ୍ଳକର ଗୋରଖପୁର ପଞ୍ଚାୟତରର ଲାମ୍ବେରୀ ଗାଁ । ଏହି ଗାଁରେ ରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଧନମାଝିଙ୍କ ୫୦ ବର୍ଷ ବୟସର ପତ୍ନୀ ତିଲେଇମାଝି ଓ ବଳିଆମାଝିଙ୍କ ୨୫ ବର୍ଷର ପୁଅ ଆନନ୍ଦ ମାଝି ଆଖି ବୁଝିଦେଇଛନ୍ତି ।

ଆକ୍ରାନ୍ତ ୭ ଜଣଙ୍କ ମଧ୍ୟରୁ ୬ ଜଣଙ୍କୁ ଉଚ୍ଚ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ଗାଁରେ ଏକ ପ୍ରକାର ଶୋକାକୁଳ ପରିବେଶ ଦେଖାଦେଇଛି । ଲାମ୍ବେରୀ ଗାଁରେ ବସବାସ କରୁଥିବା ୮୦ ଗୋଟି ପରିବାର ପାଇଁ ରହିଥିବା ନଳକୂଅରୁ କାଦୁଅ ପାଣି ବାହାରୁଛି । ଗାଁକୁ ରାସ୍ତା ନାହିଁ କି ବିଦ୍ୟୁତ ସେବା କିମ୍ବା ମୋବାଇଲ ସେବା ନାହିଁ । ଲାମ୍ବେରୀ ଗାଁରେ ଏକ ଉଚ୍ଚସ୍ତରୀୟ ଡାକ୍ତରୀଦଳ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି । ଗାଁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଟ୍ୟାଙ୍କର ଯୋଗେ ଯୋଗାଇ ଦିଆଯିବା ନେଇ ପ୍ରଶାସନ ତରଫରୁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ନିର୍ଦେଶ ଦିଆଯାଇଛି ।

ଗାଁ ଲୋକଙ୍କୁ ଝାଡାବାନ୍ତି ନେଇ ସଚେତନତା କରାଯାଇଛି । କାଶୀପୁର ବ୍ଳକ ପ୍ରଶାସନ ତରଫରୁ ଶଙ୍କରମଣ ଯେମିତି ନବ୍ୟାପିବ ସେଥିନେଇ ଲୋକଙ୍କୁ ସତର୍କତା ଅବଲମ୍ବନ ପାଇଁ କୁହାଯାଇଛି । ଝାଡାବାନ୍ତିର ସଂକ୍ରମଣ ଯେମିତି ନିୟନ୍ତ୍ରଣକୁ ଆସିପାରିବ ସେନେଇ ପ୍ରଶାସନ ଉଦ୍ୟମ କରିବା ଉଚିତ ।