ଭଦ୍ରକ: ରାଜ୍ୟରେ ଅଣାୟତ ହଇଜା । ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଡେଉଁଛି ଝାଡାବାନ୍ତି ରୋଗ । ଆକ୍ରାନ୍ତଙ୍କ ସଂଖ୍ୟା ବି ବଢ଼ିଚାଲିଛି । ଯାଜପୁର ପରେ ଭଦ୍ରକ ଜିଲ୍ଲାରେ ବ୍ୟାପି ଚାଲିଛି ହଇଜା ସଂକ୍ରମଣ । ଏହି ରୋଗର ବ୍ୟାପକତା ଏତେ ମାତ୍ରାରେ ବଢ଼ି ବଢ଼ି ଚାଲିଛି ଯେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ହଜାରେ ଟପିଲାଣି । ତେଣୁ ଗାଁ ଗହଳିରେ ଥିବା ଲୋକମାନଙ୍କ ମଧ୍ୟରେ ହଇଜାକୁ ନେଇ ଭୟ ସଂଚାର ହୋଇଗଲାଣି । ହଇଜାର ପ୍ରଭାବ ଏତେ ମାତ୍ରାରେ ରହୁଛି ଯେ ଡାକ୍ତରଖାନାରେ ଆଡ଼ମିସନ ହୋଇ ଇଞ୍ଜେକ୍ସନ ନ ନେଲେ ଭଲ ହେଉ ନାହିଁ । ତେଣୁ ଏହି ରୋଗ କୁ ନିୟନ୍ତ୍ରଣ ପାଇଁ ଉଭୟ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ବିଭିନ୍ନ ସ୍ଥାନରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏପରିକି କେନ୍ଦ୍ରୀୟ ଟିମ ମଧ୍ୟ ଭଦ୍ରକ ଜିଲ୍ଲାକୁ ଆସି ବାସ୍ତବ ସ୍ଥିତି ଦେଖି ଫେରିଛନ୍ତି । ତେବେ ଭଦ୍ରକ ଜିଲ୍ଲାରେ ହଇଜା ରୋଗର ସ୍ଥିତି ଏବେ କିପରି ଅଛି ଓ ତାହାକୁ ନିୟନ୍ତ୍ରଣ ପାଇଁ କିପରି ପଦକ୍ଷେପ ନିଆ ଯାଉଛି ଆସନ୍ତୁ ଦେଖିବା ଏହି ରିପୋର୍ଟରେ
ଭଦ୍ରକ ଜିଲ୍ଲାରେ ହଇଜା ରୋଗର ରୋଗୀ ସଂଖ୍ୟା ମାତ୍ରାଧିକ ଭାବେ ବୃଦ୍ଧି ପାଉଛି । ପ୍ରଥମେ ଏହି ରୋଗ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକ ଅଧିନସ୍ଥ ଷୋଳମପୁର ପଞ୍ଚାୟତର ମଣିନାଥପୁର ଅଞ୍ଚଳରେ ବ୍ୟାପିଥିଲା । ପରେ ଏହା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳରେ ବ୍ୟାପି ଯାଇ ଆତଙ୍କ ଖେଳାଇଛି । ବର୍ତ୍ତମାନ ତିହିଡି, ଭଦ୍ରକ, ଚାନ୍ଦବାଲି ଏବଂ ବାସୁଦେବପୁର ବ୍ଲକରେ ବ୍ୟାପି ଚାଲିଛି । ପ୍ରଥମେ ଗୋଟିଏ ବ୍ଲକରୁ ଚାରି ପାଞ୍ଚଜଣ ରୋଗୀ ଆକ୍ରାନ୍ତ ହୋଇ ବିଭିନ୍ନ ମେଡିକାଲକୁ ଆସୁଥିବା ବେଳେ କିଛିଦିନ ହେବ ଦୈନିକ ୪୦ ରୁ ଅଧିକ ରୋଗୀ ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହୋଇ ଭଦ୍ରକ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ସହିତ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି । ତେବେ ଏହି ରୋଗ ସାଧାରଣତଃ ମେଡିସିନରେ ଭଲ ହେଉ ନ ଥିବାରୁ ରୋଗୀମାନଙ୍କୁ ମେଡିକାଲରେ ଆଡ଼ମିସନ ହେବାକୁ ପଡ଼ୁଛି । ଔଷଧ ଏବଂ ଇଞ୍ଜେକ୍ସନ ସହିତ ସାଲାଇନ ଲାଗିବା ପରେ ଏହି ରୋଗ କୋଚିତ ଭଲ ହେଉଛି । ତେଣୁ ଓଭୟ ରୋଗୀ ଏବଂ ତାଙ୍କ ଅବିଭାବକ ମାନେ ଡାକ୍ତରଖାନାରେ ପାଞ୍ଚ ରୁ ଛଅ ଦିନ ରହିବାକୁ ପଡୁଛି । ତେଣୁ ଲୋକମାନଙ୍କ ମନରେ ହଇଜାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି ।
ବର୍ଷା ଦିନ ଚାଲୁ ଥିବାରୁ ବିଭିନ୍ନ ସ୍ଥାନରେ ପାଣି ଜମି ରାସ୍ତାଘାଟ ଅପରିଷ୍କାର ହେବା ସହ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ଯାହାଫଳରେ ମାଛି ଭଣ ଭଣ ହୋଇ ହଇଜା ଭଳି ମାରାତ୍ମକ ରୋଗ ସୃଷ୍ଟି କରୁଛନ୍ତି । ତେଣୁ ପାଣି ଜମିଥିବା ସ୍ଥାନରେ ବ୍ଲିଚିଙ୍ଗ ପକାଇବା ସହ ନିୟମିତ ଭାବେ ପାଣିକୁ ଫୁଟାଇ ପିଇବାକୁ ସଚେତନ କରାଯାଉଛି ।
ସେହିପରି ଭାବେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଗୋଟିଏ ମାସ ମଧ୍ୟରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୦୬୭ ଜଣ ଲୋକ ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହୋଇ ଭଦ୍ରକ ଜିଲ୍ଲା ହସ୍ପିଟାଲ ସହିତ ଅନ୍ୟାନ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଡ଼ମିସନ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲା ବେଳେ ଏବେବି ୪୪ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କୁ ସ୍ୱତନ୍ତ୍ର ଡ଼ାଇରିଆ ୱାର୍ଡରେ ରଖି ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ବିଭିନ୍ନ ଗାଁ ଗଣ୍ଡାରେ ଲୋକଙ୍କୁ ସୁଦ୍ଧ ପାନୀୟ ଜଳ ପିଇବା ସହିତ ନିଜ ଘର ପରିବେଶକୁ ସଫା ସୁତୁରା ରଖିବା ଏବଂ ଭୋଜି ଭାତ ନ ଖାଇବାକୁ କୁହାଯାଉଛି । କେବଳ ସେତିକି ନୁହେଁ ଭଦ୍ରକ ସହର ସମେତ ବିଭିନ୍ନ ଛକ ବଜାର ରେ ଜଳଖିଆ ଦୋକାନ ଓ ହୋଟେଲ ମାନଙ୍କ ରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଉଛି । ହେଲୋଜିନି ଟେବଲେଟ, ଓଆରଏସ ଆଦି ପ୍ରତେକ ଗାଁ ରେ ବଣ୍ଟା ଚାଲିଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି । ତେବେ ଲୋକଙ୍କୁ ଅଧିକ ସଚେତନ କରିବା ସହିତ ଡ୍ରେନ ସଫା ଓ ଗାଁ ଠୁ ସହର ସବୁଠି ଅଳିଆ ଆବର୍ଜନା କୁ ଉଠାଇ ସୁସ୍ଥ ପରିବେଶ ସୃଷ୍ଟି ଉପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ ଅଧିକ ଦୃଷ୍ଟି ଦେଉ ନଚେତ ବର୍ଷା ଦିନରେ ଆହୁରି ଡ଼ାଇରୀଆ ରୋଗୀଙ୍କ ସଂଖ୍ୟା ବଢିବ ବୋଲି ସଚେତନ ନାଗରିକ ମାନେ ମତ ରଖିଛନ୍ତି ।
ହଇଜା ରୋଗର ସଂକ୍ରମଣକୁ କିପରି ଜିଲ୍ଲାରେ ସମ୍ପୂର୍ଣ୍ଣ ଭାବେ ରୋକା ଯାଇ ପାରିବ ସେଥିପ୍ରତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକ ଦୃଷ୍ଟି ଦେଉ ବୋଲି ସାଧାରଣରେ ଦାବି କରାଯାଉଛି ।
Also Read: ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି, ତୁରନ୍ତ ସମାଧାନ ଦାବି କଲେ ସ୍ଥାନୀୟ ଜନସାଧାରଣ