ରାୟଗଡ଼ାରେ ଝାଡାବାନ୍ତି ଆତଙ୍କ: ଜଣେ ମୃତ, ୪ ଗୁରୁତର

ରାୟଗଡ଼ା (କେନ୍ୟୁଜ): ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡାଲିଆକୁଜି ପଞ୍ଚାୟତର ଗଇଲକଣା ଗ୍ରାମରେ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଛି । ଆକ୍ରାନ୍ତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।  ମୃତକ ଜଣକ ହେଲେ ଗୋପାଳ କାଣ୍ଡାମାକା(୨୮) । ୪ ଗୁରୁତରଙ୍କ ମଧ୍ୟରୁ ଜଣଙ୍କୁ ମୁନିଗୁଡା ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।  ଅନ୍ୟ ୩ ଜଣଙ୍କୁ ବିଷମକଟକ ଖ୍ରୀଷ୍ଟିୟାନ୍ ମେଡିକାଲରେ ଭର୍ତ୍ତି କରାଯାଇଛି । ୪ ଗୁରୁତର ହେଉଛନ୍ତି କୁମାରୀ ମାଣ୍ଡିକା,ମିଲନ ମାଣ୍ଡିକା, କବିତା ଶବର ଓ କାଦୁଲୁ କାଣ୍ଡାମାକା । ଏହି ତିନି ଜଣ ବିଷମକଟକ ଖ୍ରୀଷ୍ଟୀୟାନ ମେଡିକାଲ ଚିକିତ୍ସିତ ହେଉଛନ୍ତି ।

ଗତକାଲି ଗୋପାଳ କାଣ୍ଡାମାକାକୁ ଝାଡ଼ାବାନ୍ତି ହେବା ପରେ ପରିବାର ଲୋକେ ମୁନିଗୁଡ଼ା ସରକାରୀ ମେଡିକାଲକୁ ନେଇଥିଲେ।  ସେଠାରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ରାୟଗଡ଼ା ମେଡିକାଲକୁ ସ୍ଥାନାନ୍ତର କରିଥିଲେ ।  ହେଲେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଗୋପାଳ କାଣ୍ଡାମାକାଙ୍କର ମୃତ୍ୟୁ ହୋଇଛି ।  ରୋଗୀଙ୍କୁ ଭେଟିବା ସହ ଗାଁକୁ ଗଲେ ନବ ନିର୍ବାଚିତ କଂଗ୍ରେସ ବିଧାୟକ ନିଳମାଧବ ହିକକା ।  ତେବେ ଝାଡାବାନ୍ତି ବ୍ୟାପିବାର କାରଣ ଅସ୍ପଷ୍ଟ ରହିଛି ।