ହାତ ଗୋଡ଼ ହରାଇବା ପରେ ମଧ୍ୟ ଦିବ୍ୟାଙ୍ଗ ପାୟଲ ପାଇଲେ ଗୋଲ୍ଡ ମେଡାଲ

କଣ୍ଟାବାଞ୍ଜି : ନାଁ ଅଛି ହାତ ନାଁ ଅଛି ଗୋଡ଼ । କିନ୍ତୁ ଅଛି କିଛି କରି ଦେଖାଇବାର ପଣ । ତେବେ ଛାତିକୁ ପଥର କରି ସଂଘର୍ଷ କରୁଥିବା ଏଇ ବାପା ମାଆଙ୍କର ଦୁଃଖ କେତେ ଆପଣ ଆଖିରେ ନଦେଖିଲେ ଅନୁଭବ କରିପାରିବେନି । କିନ୍ତୁ ଆଜି ସେମାନଙ୍କ ଛାତି ଗର୍ବରେ କୁଣ୍ଢେମୋଟ । ସନ୍ତାନ ପାଇଁ ମାଆ କେତେ ବ୍ରତ ଓ ମାନସିକ କରିଥାଏ । ତେବେ ଏତେ ପୂଜା ପାଠ କରି ଯଦି ତା ଛୁଆଟି କୌଣସି ଆକସ୍ମିକ ଦୁର୍ଘଟଣାର ଶୀକାର ହୋଇ ଦିବ୍ୟାଙ୍ଗ ପାଲଟିଯାଏ ତେବେ ପରିସ୍ଥିତି ଯେ କଣ ହୁଏ କହିବା ଅସମ୍ଭବ ।
ଏ ହେଉଛି ମୁରିବାହାଲ ବ୍ଲକ ବାନ୍ଧୁପଲା ପଞ୍ଚାୟତ ଯମୁନାବହାଲ ଗାଁର ପାୟଲ ନାଗଙ୍କ କଥା । ଯାହାଙ୍କ ସାମ୍ନାରେ ହାର ମାନିଛି ଅକ୍ଷମତା । ରାଜସ୍ଥାନର ଜୟପୁରରେ ହେଉଥିବା ଜାତୀୟ ତୀରନ୍ଦାଜର ଖେଳରେ ସେ ପାଇଛନ୍ତି ଗୋଲ୍ଡ ମେଡାଲ । ପାୟଲ ଜଣେ ଗରିବ ଶ୍ରେଣୀର ହୋଇଥିବା ବେଳେ, ନିଜ ପରିବାର ନିଜ ପେଟ ପାଟଣା ପାଇଁ ସେ ଦାଦନ ଖଟିବାକୁ ଯାଉଥିଲେ । ତେବେ ୨୦୧୫ ମସିହା ତାଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା । ପାୟଲ ତାଙ୍କ ପରିବାର ସହ ଛତିଶଗଡକୁ ଦାଦନ ଖଟି ଯାଇଥିଲେ । ସେହି ସମୟରେ ସେଠାରେ ଖେଳୁଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ ପାୟଲ ।
ସେହି ଦୁର୍ଘଟଣାରେ ପାୟଲ ନିଜର ଦୁଇଟି ହାତ ଏବଂ ଗୋଡ ହରାଇଥିଲେ । ସେହି ସମୟରେ ଏହି ଖବର ଗଣମାଧ୍ୟମର ଶିରୋନାମ ପାଲଟିଥିଲା । ବଲାଙ୍ଗିର ଜିଲ୍ଲପାଳ ସହଯୋଗର ହାତ ବଢ଼ାଇ ପାୟଲଙ୍କ ପାଠ ପଢା ସହ ଖେଳ ରୁଚି ଉପରେ ଆଗ୍ରହ ଦେଖି ତାଙ୍କ ତୀରନ୍ଦାଜରେ ଅଭ୍ୟାସ କରାଇଥିଲେ । ତେବେ ବର୍ତମାନ ରାଜସ୍ଥାନ ଜୟପୁରରେ ହେଉଥିବା ଜାତୀୟ ତୀରନ୍ଦାଜରେ ଭଲ ପ୍ରଦର୍ଶନ ଦେଖାଇ ଗୋଲ୍ଡ ମେଡାଲ ହାସଲ କରିଛନ୍ତି ପାୟଲ ।
ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜର ପ୍ରତିଭାରେ ଦେଶ ପାଇଁ ଗର୍ବ ଆଣିଥିବାବେଲେ ଏହାର ପଛରେ ସେହି ସମୟର ପ୍ରଶାସନଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ । ଏହି ଘଟଣା ପ୍ରଚାର ହେବା ପରେ ଏବେ ସାରା ଅଞ୍ଚଳରେ ଏବେ ଖୁସିର ମାହୋଲ ଦେଖିବାକୁ ମିଳିଛି ।
ନିଜର ଉଦ୍ୟମ ଓ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ପାୟଲଙ୍କ ଅକ୍ଷମତା । ତେଣୁ ସମସ୍ତ ଦିବ୍ୟାଙ୍ଗଙ୍କ ପାଇଁ ସେ ହେଉଛନ୍ତି ପ୍ରେରଣା । କେବେ ବି ନିଜକୁ ଦିବ୍ୟାଙ୍ଗ ନ ଭାବି ନିଜର କାର୍ଯ୍ୟକ୍ଷେତ୍ରରେ ଦୃଢ଼ ପ୍ରତିପାଦନ କରି ସେ ଆଜି ପାଇଛନ୍ତି ପାୟଲ ।