ଖଣ୍ଡଗିରି ମେଳାକୁ ଆସି କାହିଁକି ପାହାଡ଼ ଚଢ଼ି ସାଧୁ ସନ୍ଥଙ୍କ ଆର୍ଶୀବାଦ ନିଅନ୍ତି ଦିବ୍ୟାଙ୍ଗ ଶିକ୍ଷକ ସନ୍ତୋଷ ?

ଭୁବନେଶ୍ବର: ଆପଣ ଦେଖି ପାରୁଛନ୍ତି । ପ୍ୟାଣ୍ଟ ସାର୍ଟ ଧୂଳି ଧୂସରିତ ହୋଇଯାଇଛି । ମାଟିରେ ଗୁରୁଣ୍ଡି ଗୁରୁଣ୍ଡି ଯାଉଛନ୍ତି । ପୁଣି ଗୋଟି ଗୋଟି କରି ପାହାଚ ଚଢ଼ୁଛନ୍ତି । ଦେହରେ ଲକ୍ଷେ ସିଂହର ବଳ ଆଉ ମନରେ ଅସୁମାରୀ ଆଶା । ଏ ହେଉଛନ୍ତି ଜଣେ ଦିବ୍ୟାଙ୍ଗ ଆପଣ ଭାବୁଥିବେ ବୋଧେ ଭିକ୍ଷା କରିବା ପାଇଁ ଯାଉଛନ୍ତି । ଯଦି ଆପଣ ଏପରି ଭାବୁଥାଆନ୍ତି ତେବେ ଆପଣଙ୍କୁ ଆମେ କହିବାକୁ ଚାହିଁବୁ ଆପଣଙ୍କ ଭାବନା ସମ୍ପୂର୍ଣ୍ଣ ଭାବେ ଭୁଲ୍ । ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ ଜଣାଇବୁ ଯାହାକୁ ଶୁଣିବା ପରେ ଆପଣ କହିବେ ସେ ପ୍ରତ୍ୟେକ ଦିବ୍ୟାଙ୍ଗ ପାଇଁ ପ୍ରେରଣା ।
ବଡ଼ ପବିତ୍ର ମାଟି ଏହି ଖଣ୍ଡଗିରି ମାଟି l ଏହାର ଐତିହ୍ୟ ଆମକୁ ଅନେକ କଥା କହେ l ତେବେ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଅନୁଷ୍ଠିତ ହୋଇଛି ମାଘ କୁମ୍ଭମେଳା l ଏହି ମେଳାକୁ ଅତି ସରସ ସୁନ୍ଦର କରିବାକୁ ଭାରତର ବିଭିନ୍ନ ପ୍ରାନ୍ତରରୁ ଅନେକ ସାଧୁ ସନ୍ଥ ଆସିଛନ୍ତି l ତେବେ ଖଣ୍ଡଗିରି କୁମ୍ଭ ମେଳାରେ ଏକତ୍ରିତ ସାଧୁ ସନ୍ଥ ଏବଂ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି l କିଏ ସାଧୁଙ୍କୁ ମୁଣ୍ଡିଆ ମାରି କୃପା ଭିକ୍ଷା କରୁଥାନ୍ତି ତ ଆଉ କିଏ ଦେଖୁଥାନ୍ତି ଅନେକ ସାଧୁ ସନ୍ଥଙ୍କ ସମାଗମ ହୋଇଛି ଏହି ପବିତ୍ର କ୍ଷେତ୍ର ଖଣ୍ଡଗିରିରେ l କେଉଁଠି ଧୂଆଁ ତ ଆଉ ପୁଣି ଧୂନି l କେଉଁଠି ନାଗା ସାଧୁ ଆଉ କେଉଁ ସ୍ଥାନରେ ଅଘୋରୀ ବାବା l ଏମାନଙ୍କୁ ଘେରିଥାନ୍ତି ଅନେକ ଶ୍ରଦ୍ଧାଳୁ l ଏହାରି ଭିତରେ ଦେଖିଵାକୁ ମିଳିଥିଲା ଏକ ହୃଦୟସ୍ପର୍ଶି ଦୃଶ୍ୟ l ଜଣେ ଦିବ୍ୟାଙ୍ଗଙ୍କର ପାଦ ଅଛି କିନ୍ତୁ ଚାଲିବାକୁ ସମର୍ଥ ନୁହନ୍ତି l ତଥାପି ଏତେ ଉଚ୍ଚା ପାହାଡ଼ ଉପରକୁ ଉଠି ମେଳାକୁ ଆସିଥିବା ସାଧୁ ସନ୍ଥ ମାନଙ୍କୁ ଦର୍ଶନ କରୁଛନ୍ତି l ଖଣ୍ଡଗିରି ପବିତ୍ର ମାଟିରେ ନିଜକୁ ଧୂଳି ଧୂସରିତ କରି ଗୁରୁଣ୍ଡି ଗୁରୁଣ୍ଡି ଯାଉଥାନ୍ତି l ପ୍ରଥମେ ଖଣ୍ଡଗିରିକୁ ଯାଇଥିବା ପାହାଚ ସବୁ ହାତ ମାଧ୍ୟମରେ ଭରା ଦେଇ ଉପରକୁ ଉଠିବାକୁ ଲାଗିଲେ l ସେ ପୁଣି ବିନା ଦ୍ବିଧାରେ l
ଧୀରେ ଧୀରେ ପାହାଚ ଅତିକ୍ରମ କରି ଯାଇ ପହଞ୍ଚିଲେ ଜଣେ ସାଧୁଙ୍କ ନିକଟରେ ଆଶୀର୍ବାଦ ନେଲେ lଏମିତି ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁ ସନ୍ଥ ମାନଙ୍କ ଆଶୀର୍ବାଦ ନେଉଥାନ୍ତି l ଏକୁଟିଆ ମଣିଷ ସାଙ୍ଗରେ କେହି ନାହାନ୍ତି l ମେଳାରେ ଏଭଳି ବିସ୍ମିତ କଥା ସମସ୍ତଙ୍କୁ ଚକିତ କରୁଥାଏ lସବୁଠାରୁ ବଡ଼ କଥା ହେଲା ଯେଉଁ ସବୁ ସାଧୁସନ୍ଥ ମାନଙ୍କ ନିକଟକୁ ଯାଉଥାନ୍ତି ସେମାନେ ଏହି ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଦିବ୍ୟାଙ୍ଗ ଭିକ୍ଷୁ ଭାବି ତାଙ୍କ ହାତରେ ଟଙ୍କା ଦେବାକୁ ଯାଉଥିବା ବେଳେ ସେ ସିଧା ସଳଖ ମନା କରୁଥାଆନ୍ତି l କହୁଥିଲେ ନା ମୋତେ ଟଙ୍କା ଦିଅନ୍ତୁ ନାହିଁ …ମୋର ଟଙ୍କା କଣ ହେବ ? ଆଶୀର୍ବାଦ କରନ୍ତୁ ମୋତେ ମୋ ପରିବାରଙ୍କର ଯେମିତି ମଙ୍ଗଳ ହେବ l ବାସ ଏତିକି କଥା ସମସ୍ତେ ଶୁଣିଲା ପରେ ଆମେ ଜାଣିବାକୁ ଚେଷ୍ଟା କରିଥିଲୁ ବାସ୍ତବିକ ଘଟଣା କଣ ? ସେହି ଦିବ୍ୟାଙ୍ଗ ବ୍ୟକ୍ତି ଜଣଙ୍କ ନାଁ ହେଉଛି ସନ୍ତୋଷ କୁମାର ଦାଶ, ଘର ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରେ l ସନ୍ତୋଷ ପେସାରେ ଜଣେ ଶିକ୍ଷକ l ପ୍ରଥମେ ବଞ୍ଚିବା ପାଇଁ ସଂଗ୍ରାମ କରି କରି ତାରି ଭିତରେ ଶିକ୍ଷକ ଚାକିରି ପାଇଲେ l ପ୍ରତ୍ୟେକ ବର୍ଷ ଏହି ମାଘ କୁମ୍ଭ ମେଳାକୁ ଆସି ସାଧୁ ସନ୍ଥ ମାନଙ୍କୁ ଦର୍ଶନ କରି ସେମାନଙ୍କ କୃପା ଭିକ୍ଷା କରିଥାନ୍ତି l ତେବେ ପ୍ରତ୍ୟେକ ଦିବ୍ୟାଙ୍ଗ ଯେଉଁମାନେ ମନ ଉଣା କରିଥାଆନ୍ତି ଜୀବନରେ ସଫଳତା ଦିଗରେ ଆଗକୁ ବଢ଼ିବାକୁ ଅସମର୍ଥ ଭାବିଥାଆନ୍ତି ସେମାନଙ୍କ ପାଇଁ ସନ୍ତୋଷ ହେଉଛନ୍ତି ପ୍ରେରଣା ।