ମିଥ୍ୟା ଅଭିଯୋଗ ନେଇଗଲା କି ବଂଶୀଧରଙ୍କ ଜୀବନ! ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ

ମାର୍ଶାଘାଇ : ସକାଳୁ ସକାଳୁ ଗାଁରେ ଚହଳ ପଡ଼ିଲା । ଧୀରେ ଧୀରେ ଗାଁ ପାଖ ଶ୍ମଶାନରେ ଲୋକଙ୍କ ଭିଡ଼ ଲାଗିଲା । କାହିଁକି ନା ତହସିଲ ଅଫିସ ଷ୍ଟାମ୍ପ ଭେଣ୍ଡର ବଂଶୀଧରଙ୍କର ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା । ଭାରି ମେଳାପୀ ଲୋକ ଥିଲେ ବଂଶୀଧର । ଏମିତି ନିଷ୍ପତି କାହିଁକି ନେଲେ ବୋଲି ଗାଁ ସାରା ଚର୍ଚ୍ଚା ବଢ଼ୁଥାଏ । ଘଟଣା ବିଷୟରେ ପଚାରୁ ପଚାରୁ ଜଣା ପଡ଼ିଲା କେହି ଜଣେ ବଂଶୀଧରଙ୍କ ନାଁରେ ମିଥ୍ୟା ଅଭିଯୋଗ କରିଥିଲେ । ଆଉ ନିଜ ଆତ୍ମ ସମ୍ମାନକୁ ବଞ୍ଚାଇବାକୁ ଯାଇ ଏମିତି ପଦକ୍ଷେପ ନେଇଛନ୍ତି ବଂଶୀଧର ।
କିନ୍ତୁ ବଂଶୀଧରଙ୍କୁ ହତ୍ୟା କରି ଜୀବନ ହାରିବାର ରୂପ ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ବଂଶୀଧରଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ପରିବାର ଲୋକେ ତଥା ଗ୍ରାମବାସୀ । ତେଣୁ ଅଭିଯୁକ୍ତମାନଙ୍କୁ ଗିରଫ ଓ ବଂଶୀଧରଙ୍କୁ ନ୍ୟାୟ ପ୍ରଦାନ ଦାବି କରି ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଥିଲେ ଗରଦପୁରୁ ଗାଁର ସମସ୍ତ ଗ୍ରାମବାସୀ ।
ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଗରଦପୁର ତହସିଲ ନିକଟସ୍ଥ ପାଖଡ ଗାଁ ଶ୍ମଶାନ ନିକଟରେ ବଂଶୀଧର ମିଶ୍ରଙ୍କ ମୃତଦେହ ଠାବ ହୋଇଥିଲା । ପାଖଡ ଗାଁ ଶ୍ମଶାନ ନିକଟରୁ ମୃତଦେହ ଉଦ୍ଧାର ହେବାପରେ ପରିବାର ଲୋକେ ବଂଶୀଧରଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି । ସାଇଣ୍ଟିଫିକ ଟିମ୍ ସହ ପାଟକୁରା ପୋଲିସ ଘଟଣାସ୍ଥଳରେ ମୃତଦେହ ଜବତ କରିଛି। ଗ୍ରାମବାସୀ ଓ ପରିବାର ଲୋକ ଅଭିଯୋଗ କରିଛନ୍ତି ମୃତ ବଂଶୀଧର ନାମରେ ଜଣେ ମହିଳା ମିଥ୍ୟା ଅଭିଯୋଗ କରିଥିଲେ । ପରେ ନିଜ ଆତ୍ମ ସମ୍ମାନ ଓ ମାନସିକ ଭାରସାମ୍ୟ ହରାଇ ପୋଲିସ ଠୁ ଲୁଚି ବୁଲୁଥିଲେ ବଂଶୀଧର । ମୃତ ବଂଶୀଧରଙ୍କୁ ବ୍ଲାକମେଲିଙ୍ଗ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାକୁ ନେଇ ବଂଶୀଧରଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ ।
ଘଟଣାର ଉପଯୁକ୍ତ ତଦନ୍ତ ସହ ଅଭିଯୁକ୍ତମାନଙ୍କୁ ଗିରଫ ଦାବି କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଗରଦପୁର – ପାଟକୁରା ରାସ୍ତାର ରଥଦାଣ୍ଡରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ଶତାଧିକ ମହିଳା ଓ ଗାଁ ଲୋକେ। ଶେଷରେ ପୋଲିସ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ଏହା ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପ୍ରତିଶୃତି ଦେବାପରେ ରାସ୍ତା ଅବରୋଧ ହଟିଥିଲା। ଯଦି ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାନଯାଏ ଏବଂ ମୃତ ପରିବାରକୁ ନ୍ୟାୟ ପ୍ରଦାନ କରାନଯାଏ ତେବେ ଆଗକୁ ଆନ୍ଦୋଳନ ବଢ଼ିବ ବୋଲି ଚେତାବନୀ ଦେଇଛନ୍ତି ଗାଁ ଲୋକେ ।
ସତରେ କଣ ବଂଶୀଧରଙ୍କର ହତ୍ୟା କରାଯାଇଛି ? ନା ଆତ୍ମ ସମ୍ମାନକୁ ଜଗି ଏମିତି ନିଷ୍ପତି ନେଲେ ବଂଶୀଧର । ଏସବୁ ପ୍ରଶ୍ନର ଉତ୍ତର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ଖାଲି ଦେଖିବାକୁ ବାକି ରହିଲା ବଂଶୀଧରଙ୍କ ମୃତ୍ୟୁ ରହସ୍ୟ କେବେ ପଦାକୁ ଆସୁଛି ।
Also Read:ଶ୍ମଶାନରୁ ମରଶରୀର ଗାଏବ, କିଛି ଅଜବ ଘଟଣା ନା ମୃତଦେହ ଚୋରି ?