ଆଇନଜୀବୀଙ୍କ ଆନ୍ଦୋଳନର ପ୍ରଭାବ, ଜେଲରେ ବଢ଼ି ଚାଲିଛି କଏଦୀଙ୍କ ସଂଖ୍ଯା

ଭୁବନେଶ୍ବର (କେନ୍ୟୁଜ୍) : ଜେଲ୍ରେ ସ୍ଥାନ ଯେତିକି ତାଠାରୁ ଅଧିକ କଏଦୀ। ଏ କିଛି ଦିନ ହେଲା ସଂଖ୍ୟା ଢେର ବଢିଛି। ଏ ହେଉଛି ଚୌଦ୍ୱାର ସର୍କଲ ଜେଲ୍। ଏଠି ୭୨୮ କଏଦୀ ରହିବା ପାଇଁ ସୁବିଧା ରହିଛି। କିନ୍ତୁ ରହୁଛନ୍ତି ୧୩୨୧। ସେହିପରି ବାଲେଶ୍ୱରରେ ୪୮୦ କଏଦୀଙ୍କ ରହିବା ପାଇଁ ବ୍ୟବସ୍ଥା ରହିଛି। କିନ୍ତୁ ଏବେ ରହୁଛନ୍ତି ୫୪୫ ଜଣ। ବ୍ରହ୍ମପୁର ମଣ୍ଡଳ କାରାଗାରର କ୍ଷମତା ୭୪୩। ରହୁଛନ୍ତି ୮୪୫। ଏମାନଙ୍କ ମଧ୍ୟରେ ଅନେକ ମହିଳା କଏଦୀ ମଧ୍ୟ ଅଛନ୍ତି। ଆବଶ୍ୟକ ସଂଖ୍ୟକ ଶୌଚାଳୟ ଓ ରହିବା ବ୍ୟବସ୍ଥା ନାହିଁ। ଏହାସହ ଜେଲ୍ କର୍ମଚାରୀ ସଂଖ୍ୟା କମ୍ ରହିଛି। ଯାହା ଅସୁବିଧାକୁ ବଢାଇ ଦେଇଛି।
ଅନେକ ବିଚାରାଧୀନ କଏଦୀ, ଜାମିନ ପାଇ ପାରିବେ। କିନ୍ତୁ ଓକିଲଙ୍କ ଆନ୍ଦୋଳନ ଯୋଗୁଁ ସେମାନଙ୍କୁ ମିଳୁନି ଜାମିନ । ଫଳରେ ସଂଖ୍ୟା ବଢି ଚାଲିଛି। କଟକରେ ଆଇନଜୀବୀଙ୍କୁ ପୋଲିସ ମାଡ଼ ଘଟଣାରେ ବିବାଦ ତେଜିଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।
ସେପଟେ ହାଇକୋର୍ଟ କଏଦୀଙ୍କ ଜାମିନ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ପ୍ରତି ଜିଲ୍ଲାରେ ଥିବା ଜେଲରେ ଅସ୍ଥାୟୀ ଭାବେ କ୍ୟାମ୍ପ କରି କଏଦୀଙ୍କୁ ନ୍ୟାୟ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କ୍ୟାମ୍ପ କୋର୍ଟ କେବଳ ଜାମିନ ଆବେଦନର ଶୁଣାଣି କରିବ । ଏହି କୋର୍ଟ ଖୋଲିବାକୁ ଜିଲ୍ଲାସ୍ତରରେ ଥିବା ଆଇନ ପ୍ରାଧିକରଣ ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ନିଆଯିବ ।