ଅବସରପ୍ରାପ୍ତ ଦୁଇ ନୌସେନା କର୍ମଚାରୀ ବନ୍ଧୁଙ୍କ ନିଆରା ପ୍ରୟାସ, ଗଢୁଛନ୍ତି ପିଲାଙ୍କ ଭବିଷ୍ୟତ

ଭଞ୍ଜନଗର: ଅନେକ ରାସ୍ତା ଭିତରେ ଗୋଟିଏ ଲକ୍ଷ । ଆମେ ସୈନିକ ହେବୁ ଦେଶ ମାତୃକାର ରକ୍ଷା କରିବୁ । ଏଥିପାଇଁ ଯେତ କଷ୍ଟ ସ୍ୱୀକାର କରିବାକୁ ହେବ ତାହା ଆମେ କରିବୁ । ସେଥିପାଇଁ ପଡ଼ିଆରେ ଚାଲିଛି କସରତ । ଭଳିକି ଭଳି କୌଶଳ । ତାଲିମ-ଦାତାଙ୍କ ଇଶାରାରେ ଗୋଟିଏ ପରେ ଗୋଟିଏ ଶିକ୍ଷା । ସକାଳୁ ସକାଳୁ ଶାରିରୀକ ଅଭ୍ୟାସ-ମୁଦ୍ରାରେ ଚଳଚଞ୍ଚଳ ହୋଇଉଠେ ଏହି ଖୋଲା ପଡିଆ । ଏ ହେଉଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ ଖେଳ ପଡିଆର ଦୃଶ୍ୟ । ସେନାବାହିନୀରେ ସାକ୍ଷାତକାର ପରୀକ୍ଷା ଦେବାପାଇଁ ପ୍ରସ୍ତୁତ ହେଉଛନ୍ତି ଏହି ଯୁବଗୋଷ୍ଠୀ ।

ଆଉ ଏସବୁର ମୁଖ୍ୟ ସାଜିଛନ୍ତି ଅବସରପ୍ରାପ୍ତ ଦୁଇ ନୌସେନା କର୍ମଚାରୀ । ଜଣେ ରାଧାମୋହନ ଆଉ ଜଣେ ଆଦିତ୍ୟ ପ୍ରସାଦ । ଉଭୟେ ବାଲ୍ୟ ବନ୍ଧୁ । ଏକାଠି ଚାକିରି କଲେ ଏକକାଳୀନ ଅବସର ନେଲେ । ଅବସର ନେବା ପରେ ଅନ୍ୟ କୌଣସି କର୍ମ ଅପେକ୍ଷା, ସେନାବାହିନୀରେ ନିଯୁକ୍ତି ହେବା ପାଇଁ ଇଛୁକ ଯୁବକ-ଯୁବତୀଙ୍କ ମନୋବଳ ବଢାଉଛନ୍ତି । ଶାରୀରିକ କୌଶଳ ସଂକ୍ରାନ୍ତରେ ଶିକ୍ଷା ଦେଉଛନ୍ତି । ପ୍ରଥମେ ଜଣେ ଏବଂ ପରେ ତିନିଜଣ ପିଲାଙ୍କୁ ନେଇ ଶିକ୍ଷାଦେବା ଆରମ୍ଭ କଲେ ଅବସରପ୍ରାପ୍ତ ଦୁଇ ବନ୍ଧୁ । ଏବେ ପ୍ରାୟ ୭୦ ଜଣ ପିଲାଙ୍କୁ ତାଲିମ ଦେଉଛନ୍ତି ।

ଏହା ଭିତରେ ତାଲିମ ପାଇଥିବା ପ୍ରାୟ ୨୦ଜଣ ଯୁବକ ସେନାବାହିନୀରେ ନିଯୁକ୍ତି ପାଇବାରେ ସଫଳ ହୋଇଛନ୍ତି । ଏହାବ୍ୟତୀତ ଲିଖିତ ଏବଂ ମୌଖିକ ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେବାପାଇଁ ଥିଓରୀ କ୍ଳାସ ଜରିଆରେ ସାଧାରଣ ଜ୍ଞାନ, କମ୍ପିଟେଟିଭ୍ ଏବଂ କମ୍ପ୍ୟୁଟର ଶିକ୍ଷା ଦେଉଛନ୍ତି । ଏଥିପାଇଁ ଏକ ଭଡାଘରେ ଆବାସିକ ବ୍ୟବସ୍ଥା ମଧ୍ୟ କରିଛନ୍ତି । ବିଶେଷକରି ଗରିବ ପିଲାଙ୍କ ପାଇଁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଏହି ଦୁଇ ବନ୍ଧୁଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ଅବସରପ୍ରାପ୍ତ କିଛି ସେନା କର୍ମଚାରୀ ।

ଅନ୍ତତଃ ସେନାବାହିନୀର ଭର୍ତ୍ତି ହେବାପାଇଁ ସମସ୍ତ ପ୍ରକାରର ପ୍ରାକ୍ ପ୍ରସ୍ତୁତି ଏବଂ ଅଭ୍ୟାସ ଶିକ୍ଷା, ନୂତନ ପୀଢ଼ିଙ୍କୁ ଏବେ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି । ଦେଶମାତୃକା ପାଇଁ ଉତ୍ସର୍ଗୀକୃତ ହେବା ଏବଂ ଶତ୍ରୁପକ୍ଷ ସୈନ୍ୟଙ୍କୁ ମୁକାବିଲା କରିବାର ସାହାସିକତା ସମସ୍ତଙ୍କ ଜୀବନରେ ଆସିନଥାଏ । ଯଦିଓ ଇଛା ଥାଏ ତଥାପି ସୁଯୋଗ ମିଳିନଥାଏ । ତେବେ ଏହି ଦୁଇ ବନ୍ଧୁଙ୍କ ପ୍ରୟାସ, “ଦେଶ ଏବଂ ଯଶ” ପାଇଁ ନୂଆଁ ସମ୍ଭାବନା ସୃଷ୍ଟି କରିଛି, ଏଥିରେ ସନ୍ଦେହ ନାହିଁ ।